ପଞ୍ଚାୟତରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା
ହାଟଡିହି, (ବିକାଶ ବିଶ୍ୱାଳ ) : -ଆସନ୍ତା ୨୦ତାରିଖରେ ହାଟଡିହି ବ୍ଲକରେ ହେଉଛି ପଞ୍ଚାୟତ ନିର୍ବାଚନ । ଏହି ବ୍ଲକର ପନ୍ଦାଡୋ ପଞ୍ଚାୟତରେ ଚଳିତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି । ଏଠାରେ ବିଜେଡି ଓ ଅସନ୍ତୁଷ୍ଟ ବିଜେଡି ମଧ୍ୟରେ ଲଢ଼େଇ ହେଉଥିବାରୁ ଏହାର ଫଳାଫଳ ରୋଚକ ମୋଡରେ ପହଞ୍ଚିଛି । ବିଜେଡି ସମର୍ଥନରେ ରଶ୍ମିତା ଘଡେଇ ଓ ଅସନ୍ତୁଷ୍ଟ ବିଜେଡିରୁ ସଶ୍ମିତା ଓଝା ନିର୍ବାଚନ ମଇଦାନରେ ଅବତିର୍ଣ୍ଣ ହୋଇଥିବାବେଳେ ପ୍ରଚାରରେ ସଶ୍ମିତାଙ୍କ ପାଲ୍ଲା ଭାରିଥିବା ଜଣାପଡିଛି । ଏଥିପାଇଁ ଉଭୟ ପ୍ରାର୍ଥୀଙ୍କ ପକ୍ଷରୁ ଘରକୁଘର ବୁଲି ପ୍ରଚାର ସହିତ ବାଇକ ରାଲି ଓ ପଦଯାତ୍ରା କରି ପ୍ରଚାର କରାଯାଇଛି । ଭୋଟର ମାନଙ୍କୁ ଭୋଜିଭାତ ଦେଇ ଆକୃଷ୍ଟ ମଧ୍ୟ କରାଯାଇଛି । ସଶ୍ମିତା ମିଠା ପ୍ୟାକେଟ ବାଣ୍ଟି ବାଣ୍ଟି ଭୋଟର ମାନଙ୍କ ମନକିଣିଥିବା କହୁଥିବାବେଳେ ଆଜି ଏକ ହଜାରରୁ ଉର୍ଦ୍ଧ ଲୋକଙ୍କୁ ନେଇ ଏକ ପଦଯାତ୍ରା କରି ତାଙ୍କୁ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି । ବିଜେଡି ସମର୍ଥନରେ ପ୍ରତିଦ୍ୱନ୍ଦିତା କରୁଥିବା ରଶ୍ମିତା ମଧ୍ୟ ନିର୍ବାଚନରେ ସଫଳ ହେବେ ବୋଲି ଆଶାବାଦୀ ଥିବା କହୁଛନ୍ତି ।


