ଭୋଟର ଲିଷ୍ଟରୁ ନାଁ ଉଭାନ : ଶୁଣିଲାନି ପ୍ରଶାସନ
ହାଟଡିହି, (ବିକାଶ ବିଶ୍ୱାଳ ) :-ଭୋଟର ଲିଷ୍ଟରୁ ନାଁ ଉଭାନ ହୋଇଗଲା । କେହି ବି ଜାଣିପାରିଲେନି । ଏବେ ଭୋଟର ତାଲିକା ଦେଖିବାରୁ ଗାଁ ଟା ସାରାର ନାଁ ନାହିଁ । ଯାହାଦ୍ୱାରାକି ଭୋଟ ଦେଇ ପାରିବେ କି ନାଁ ଏନେଇ ଚିନ୍ତାରେ ପଡିଥିଲେ ଗ୍ରାମବାସୀ । ଏନେଇ ଗ୍ରାମବାସୀମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ କରିବା ସହିତ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପ୍ରଶାସନ ତତ୍ପରତା ଦେଖାଇଥିଲା । କିନ୍ତୁ ସେମାନଙ୍କ ପାଇଁ କୌଣସି ସୁବ୍ୟବସ୍ଥା ନହେବାରୁ ଏମାନେ ଆସନ୍ତା କାଲି ଭୋଟ ଦେଇ ପାରିବେ କି ନାଁ ତାହାକୁ ନେଇ ସନ୍ଦେହ ଦେଖା ଦେଇଛି । ଖବରରୁ ଜଣାଯାଇଛି ଯେ କଳିଗାଁ ପଞ୍ଚାୟତର ୧୦ନଂ ୱାର୍ଡ । କନକମ୍ପା ଓ ରଘୁନାଥପୁର ଗାଁକୁ ନେଇ ଏହି ୱାର୍ଡଟି ଗଠିତ । ଏଥିରେ କନକମ୍ପା ଗ୍ରାମର ୧୪୫ ଓ ରଘୁନାଥପୁର ଗ୍ରାମର ୧୭୧ଭୋଟର ଅଛନ୍ତି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ସମସ୍ତ ଭୋଟରଲିଷ୍ଟ ଠିକ୍ ଥିବାବେଳେ ଗତ ସାଧାରଣ ନିର୍ବାଚନରେ ମଧ୍ୟ ଏମାନେ ଭୋଟ ଦେଇଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ରଘୁନାଥପୁର ଗ୍ରାମର ୧୭୧ଜଣ ଭୋଟରଙ୍କ ନାମ ଥିବାବେଳେ କନକମ୍ପା ଗ୍ରାମର ଭୋଟର ମାନଙ୍କ ନାଁ ତାଲିକାରେ ନାହିଁ । ୧୪୫ଜଣ ଭୋଟରଙ୍କ ମଧ୍ୟରୁ ମାତ୍ର ଦୁଇଜଣଙ୍କ ନାମ ରହିଛି । ଯାହାକୁନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସେମାନଙ୍କ ଭୋଟଦାନ ଭଳି ମୌଳିକ ଅଧିକାରକୁ ଛଡାଇ ନିଆଯାଇଛି ବୋଲି ଗ୍ରାମର ଭାବଗ୍ରାହୀ ପାଢ଼ୀ, ଶଶିକାନ୍ତ ଘଡେଇ, ହରେକୃଷ୍ଣ ପାଢ଼ୀ, ଦୀନବନ୍ଧୁ ସା, ଜଗବନ୍ଧୁ ପାଢ଼ୀ, ବଳରାମ ଘଡେଇ, ସହଦେବ ପାଢ଼ୀ, ରମାକାନ୍ତ ପାଢ଼ୀ, ମଦନ ମୋହନ ଘଡେଇ, ଅନିତା ସା, ବିମଳା ସା, ସତ୍ୟଭାମା ପାଢ଼ୀ, ଜଳଧର ଘଡେଇ, ଦୀପକ ଘଡେଇ, ପ୍ରାଣବଲ୍ଲବ ସା ପ୍ରମୁଖ ଅଭିଯୋଗ କରିଛନ୍ତି ।


