ଅଧ୍ୟାପକ ମାଧବାନନ୍ଦ ପଣ୍ଡାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ବିଭାଗ ପ୍ରାଧ୍ୟାପକ ସ୍ୱର୍ଗତ ମାଧବାନନ୍ଦ ପଣ୍ଡାଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ନୟନବିହାରସ୍ଥିତ ବାସଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବକ୍ତାମାନେ ସ୍ୱର୍ଗତ ପଣ୍ଡାଙ୍କୁ ଏକ ଉତ୍ତମ ମଣିଷ ସହ ଏକ ସଫଳ ସାହିତ୍ୟ ସ୍ରଷ୍ଟାରୂପେ ବୟାନ କରିଥିଲେ । ଇଂରାଜୀ ସାହିତ୍ୟରେ ଏକ ଅନନ୍ୟ ସୃଜନଶିଳ୍ପୀ ଭାବେ ଖ୍ୟାତି ଅର୍ଜ୍ଜନ କରିଥିଲେ ବୋଲି ବକ୍ତାମାନେ କହିଥିଲେ । ଶିଶୁ ସାହିତ୍ୟ, ଗଳ୍ପ, ଲଘୁ ଆଲୋଚନା ଓ ଉଭୟ ଇଂରାଜୀ ତଥା ସଂସ୍କୃତ କବିତାକୁ ଓଡିଆ ଭାଷାରେ ଅନୁବାଦ କରିବାରେ ତାଙ୍କର ଉଲ୍ଲେଖନୀୟ ଦକ୍ଷତାକୁ ବିରଳ ପ୍ରତିଭା ବୋଲି ବକ୍ତାମାନେ କହିଥିଲେ । ଏହି ସଭାରେ ତାଙ୍କ ପରିବାର, ପ୍ରତିବେଶୀ, ସହକର୍ମୀ, ଛାତ୍ରଛାତ୍ରୀ ଓ ସାହିତ୍ୟିକ ବନ୍ଧୁମାନେ ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ । ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଉଦେଶ୍ୟରେ ଏକ ସ୍ମରଣିକା ପ୍ରକାଶ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଇଚ୍ଛୁକ ବ୍ୟକ୍ତିମାନେ ସେଥି ପାଇଁ ଲେଖା ଓ ସ୍ମୃତି ଚିତ୍ର ପଠାଇବାକୁ ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ପ୍ରେମାନନ୍ଦ ମିଶ୍ର, ଶତ୍ରୁଘ୍ନ ପାଣ୍ଡବ, ଅଜୟ ସାମଲ, କୈଳାସ ଚନ୍ଦ୍ର ବରାଳ, କୈଳାସ ଚନ୍ଦ୍ର ବରାଳ, ଡଃ. କୈଳାସ ଚନ୍ଦ୍ର ଲେଙ୍କା, ଡଃ. କାମଦେବ ପତି, ଭଗବାନ ପତ୍ରୀ, ତାପସ ପଣ୍ଡା, ଗୋପାଳ ଚନ୍ଦ୍ର ବେହେରା, ସୁରେଶ ଚନ୍ଦ୍ର ତ୍ରିପାଠୀ, ଅକ୍ଷୟ କୁମାର ନାୟକ, ହରେକୃଷ୍ଣ ବରାଳ, ଶୁଭାଂଶୁ ଦାସ, ବିଦୁଭୂଷଣ ଦାଶ ପ୍ରମୁଖ ଶ୍ରଦ୍ଧା ଜ୍ଞାପନ କରିଥିଲେ । ସ୍ୱର୍ଗତ ପଣ୍ଡାଙ୍କ ଉଦେଶ୍ୟରେ ଲିଖିତ କବିତାକୁ ପ୍ରଜ୍ଞା ପଣ୍ଡା ଆବୃତ୍ତି କରିଥିଲେ । ସମାପନୀ ସଂଗୀତ ପରିବେଷଣ କରିଥିଲେ ଗୋଲଖ ସେଠୀ । ଏହି ସଭାରେ ସଭାପତିତ୍ୱ କରିଥିଲେ ସ୍ୱର୍ଗତ ପଣ୍ଡାଙ୍କ ସତୀର୍ଥ ତଥା ସହକର୍ମୀ ଅଧ୍ୟାପକ ଦୁର୍ଯୋଧନ ପରିଡା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ତପନ କୁମାର ପତି । କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା ଓ ପ୍ରାକ୍ତନ ଅଧ୍ୟାପିକା ଜ୍ୟୋତିର୍ମୟୀ ମହାପାତ୍ର ସଭାରେ ଉପସ୍ଥିତ ଥିଲେ । ଅଧ୍ୟାପକ ପ୍ରମୋଦ ଦାସ, ମାନଗୋବିନ୍ଦ ଷଡଙ୍ଗୀ, କଳିଙ୍ଗ କେଶରୀ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ । ଶେଷରେ ସ୍ୱର୍ଗତ ପଣ୍ଡାଙ୍କ ସାନଭାଇ ଅଧ୍ୟାପକ ସନ୍ତୋଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


