ପଞ୍ଚାୟତ ମତଦାନକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପୂର୍ବରୁ ଏହି ସମସ୍ୟା ଦେଖା ଦେଇଥିଲା । ତେବେ ନିର୍ବାଚନ ମତଦାନ ପରେ ମଧ୍ୟ ଏହି ରାଜନୈତିକ ହିଂସା ଥମିନଥିବା ଜଣାପଡିଛି । ସୋମବାର ଅପରାହ୍ନରେ ଦିଗପହଣ୍ଡି ଥାନା ଆଙ୍କୋରଡା ପଞ୍ଚାୟତର ଚାଞ୍ଚଡାପଲୀ ଗ୍ରାମରେ ମତଦାନକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ କାତିରେ ହାଣି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଆହତ ଯୁବକ ହେଲେ ଚାଞ୍ଚଡାପଲୀ ଗ୍ରାମର ରାଜେନ୍ଦ୍ର ବିଶ୍ବାଳ ବୋଲି ସୂଚନା ମିଳିପାରିଛି । ତେବେ ରାଜେନ୍ଦ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଅବସ୍ଥା ଗୁରୁତର ରହିଥିବାରୁ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ପ୍ରକାରେ ଆଜି ଅପରାହ୍ନରେ ରାଜେନ୍ଦ୍ର ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ଗାଦି ସ୍ୱାଇଁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ । ପଞ୍ଚାୟତ ନିର୍ବାଚନ ବିଷୟକୁ ନେଇ ଯୁକ୍ତିତର୍କ ପରେ ଗାଦି ସ୍ୱାଇଁ ପ୍ରଥମେ ଏକ ଇଟାଖଣ୍ଡରେ ରାଜେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧସ୍ତା ଧସ୍ତି ହୋଇଥିଲା ପରେ ଉତ୍ତେଜିତ ହୋଇ ଗାଦି ସ୍ୱାଇଁ ପୁଣି ଥରେ ତାଙ୍କ ଘରୁ ଏକ କାତି ଆଣି ରାଜେନ୍ଦ୍ରଙ୍କୁ ତାଙ୍କ ଘର ଆଗରେ ଆକ୍ରମଣ କରିଥିବା ଥାନାରେ ଏତଲା ହୋଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛନ୍ତି ।


