ମାନବିକତାର ନିଦର୍ଶନ ଦେଲେ ଖଗେଶ୍ୱର
(ଯୁଗାବ୍ଦ ନ୍ୟୁଜ)ଆଜିବି ସମାଜରୁ ହଜିନି ମାନବିକତା ମରିନି ସ୍ୱାଭିମାନ। ସ୍ୱାର୍ଥପର ଦୁନିଆଁରେ ଲୋକମାନେ ବିଭିନ୍ନ ଉପାୟରେ ଅର୍ଥ ଉପାର୍ଜନ ର ବାଟ ଖୋଜୁଛନ୍ତି। ସଂପ୍ରତି ଲୋଭ ପାଇଁ ମଣିଷ ନିଜର ସ୍ଵାଭିମାନ ହରାଇ ବସୁଥିବା ବେଳେ ରାସ୍ତା କଡରୁ ମିଳିଥିବା ଟଙ୍କା ଭର୍ତ୍ତି ମନିପର୍ସ ପାଇ ବିନା ଲୋଭରେ ତାକୁ ଫେରାଇ ନିଜର ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି ଗୋହିରିବାଡି ଗ୍ରାମର ଖଗେଶ୍ବର ନାୟକ। ପେଶାରେ ମୁଲ କାମ କରୁଥିବା ଖଗେଶ୍ବର ଗତ କାଲି ରାତିରେ ନିଜ କାମ ସାରି ଖାଇବା ଘରକୁ ଯାଉଥିବା ବେଳେ ଘର ସାମ୍ନା ସରପଞ୍ଚ ଖଲି ନାୟକଙ୍କ ଘର ଆଗରେ ଏକ ପର୍ସ ପଡ଼ିଥିବା ଦେଖିଥିଲେ। ଏହାପରେ ସେଇ ପର୍ସ ଟିକୁ ଗୋଟାଇଥିଲେ, ସେଥିରେ ୨୭୩୦ ଟଙ୍କା, ଭୋଟର କାର୍ଡ,ଏଟିଏମ୍ ଓ କିଛି କାଗଜପତ୍ର ଥିବା ଦେଖିବାକୁ ପାଇଥିଲେ ।ଏହାପରେ ପର୍ସଟିକୁ ନେଇ ଆଖପାଖରେ କାହାର ବୋଲି ପଚାରି ବୁଝିଥିଲେ। ଆଜି ସକାଳେ ମାଟିଆ ଓ ଆଇନଜୀବୀ ସନ୍ତୋଷ ପାଳଙ୍କ ସହଯୋଗରେ ଭଞ୍ଜନଗର ଥାନାକୁ ଆସି ପାଇଥିବା ପର୍ସଟିକୁ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କୁ ପ୍ରଦାନ କରିଥିଲେ। ସେଥିରେ ଥିବା ଭୋଟର କାର୍ଡ ଓ ଆଧାର କାର୍ଡ ବାଇବାଲି ଅଞ୍ଚଳର ଅଶୋକ ସାହୁଙ୍କ ବୋଲି ଜଣାପଡିଥିଲା। ଥାନା ଅଧିକାରୀ ଶ୍ରୀ ସାହୁ ତାଙ୍କର ଏହି ମହତ କାର୍ୟ୍ୟ ପାଇଁ ଧନ୍ୟବାଦ ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାସହ ଆଶୋକଙ୍କ ଗ୍ରାମରେ ଖବର ଦେଇ ତାଙ୍କୁ ଏହି ପର୍ସଟି ଫେରାଇ ଦିଆଯିବ ବୋଲି କହିଥିଲେ।