୫ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଜିତାଇଥିବା ପରଦା ପଛର ସଂଗଠକ : ଅଜୟ ରାଉତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେଡି ଯେଉଁ ୫ଟି ଆସନ ଆଣିଛି ସେଥିରେ ସଙ୍ଗଠକ ଅଧ୍ୟାପକ ଅଜୟ ରାଉତଙ୍କ ଭୁମିକା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ସେ ଏହି ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁଁ ରାତିଦିନ ଏକକାର କରି ଦେଇଥିଲେ । ଏଥିସହ ସେମାନଙ୍କ ଜିତିବା ପଛରେ ଯେଉଁ ସାଧନର ଆବଶ୍ୟକତା ରହିଛି ତାହା ମଧ୍ୟ ସେ ଯୋଗାଇ ଦେଇଥିଲେ । ଫଳରେ ପ୍ରାର୍ଥୀମାନେ ବହୁ ସଂଖ୍ୟାରେ ବିଜୟୀ ହୋଇପାରିଲେ । ଜଣେ ବିଜୁ ପ୍ରେମୀ ଭାବେ ଅଧ୍ୟାପକ ରାଉତ ସମଗ୍ର ଜିଲ୍ଲାରେ ବେଶ ପରିଚିତ । ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସମାଜସେବା କାର୍ଯ୍ୟ ଦୀର୍ଘ ୩ ଦସନ୍ଧି ହେବ ପାଟକୁରା ନିର୍ବାଚନମଣ୍ଡଳୀରେ ଜାରି ରଖିଛନ୍ତି । ବିଜୁବାବୁଙ୍କ ଦର୍ଶନ ତାଙ୍କୁ ବେଶ ପ୍ରଭାବିତ କରିଥିଲା । ତେଣୁ ଛାତ୍ର ଜୀବନରୁ ସେ ଜଣେ ବିଜୁ ପ୍ରେମୀ ଭାବେ ବେଶ କରିଚିତ ଥିଲେ । ଏବେ ସେ ବିଜେଡି ପାଇଁ ସଙ୍ଗଠନ କାର୍ଯ୍ୟରେ ଲାଗି ପଡିଛନ୍ତି । ତାଙ୍କ ସଚ୍ଚୋଟ ପଣିଆ, ସାଧୁତା ଓ ମଧୁର ଆଚରଣ ଜନତାଙ୍କୁ ବିମୋହିତ କରିଥାଏ । ଏହାର ପ୍ରତିଫଳନ ପାଟକୁରା ନିର୍ବାଚନମଣ୍ଡଳୀର ୫ଟି ଜୋନରେ ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ବିଜେଡି ସପକ୍ଷରେ ସଂପୂର୍ଣ୍ଣ ଜନାଦେଶ ଯାଇଛି । ୩୨ ଆସନରୁ ୩୧ ଆସନକୁ ଦଖଲ କରିଛି ବିଜେଡି । ପାଟକୁରା ନିର୍ବାଚନମଣ୍ଡଳୀର ଜୋନ ନମ୍ବର ୯, ୧୦, ୧୨, ୧୪ ଓ ଜୋନ ନମ୍ବର ୨୪ରେ ବିଜେଡିକୁ ଯେଉଁ ମହା ବିଜୟ ମିଳିଛି ତାହାର ପରଦା ପଛର ନାୟକ ହେଉଛନ୍ତି ବିଜେଡି ସଂଗଠକ ଅଧ୍ୟାପକ ଅଜୟ କୁମାର ରାଉତ । ଶ୍ରୀ ରାଉତଙ୍କ ନାମ ପାଟକୁରା ନିର୍ବାଚନମଣ୍ଡଳୀରେ ୨୦୧୯ରେ ବିଧାୟକ ପଦ ପାଇଁ ଉଠିଥିଲା । କାରଣ ଶ୍ରୀ ରାଉତ ଦୀର୍ଘ ୩୦ ବର୍ଷ ହେବ ପାଟକୁରାବାସୀଙ୍କ ସୁଖ ଦୁଃଖରେ ଛିଡା ହୋଇ ଆସିଛନ୍ତିି । କୌଣସି ବ୍ୟକ୍ତିଙ୍କ ଘର ପୋଡି ଗଲେ ଶ୍ରୀ ରାଉତ ଖବର ପାଇବା ମାତ୍ରେ ସେଠାରେ ପହଞ୍ଚି ସଂପୃକ୍ତ ପରିବାରକୁ ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରନ୍ତି । ଠିକ ସେହିପରି ସେ ପାଟକୁରା ନିର୍ବାଚନମଣ୍ଡଳୀରେ ତାଙ୍କର ସାଙ୍ଗଠନିକ ଦକ୍ଷତା ପ୍ରତିପାଦନ କରିଛନ୍ତି । ସେ ସକାଳୁ ଉଠିଲେ ପ୍ରଥମେ ଲୋକଙ୍କ ସମସ୍ୟା ବୁଝନ୍ତି । ଏହିଭଳି ଜଣେ ଦରଦୀ ମଣିଷ ସମଗ୍ର ପାଟକୁରା ନିର୍ବାଚନମଣ୍ଡଳୀରେ ବିରଳ ବୋଲି ଲୋକମାନେ ମତ ଦିଅନ୍ତି । ସେହିପରି ଗାଁ ଗାଁରେ କିପରି ପିଲାମାନେ ଉନ୍ନତ ଧରଣର ଶିକ୍ଷା ପାଇବେ ସେ ନେଇ ମଧ୍ୟ ସେ ବିଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତି । ପିଲାଙ୍କୁ ଘରେ ଘରେ ଯାଇ ପାଠ ପଢାନ୍ତି । ତାଙ୍କର ସାଙ୍ଗଠନିକ ଦକ୍ଷତା ବିଜେଡିର ରାଜ୍ୟ ସଙ୍ଗଠକୁ ଅଭିଭୂତ କରିଛି । ତେଣୁ ୨୦୧୯ରେ ବିଧାୟକ ରେସରେ ତାଙ୍କ ନାମ ଚର୍ଚ୍ଚାରେ ରହିଥିଲା । ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେଡିର ସଙ୍ଗଠନକୁ ମଜଭୁତ କରିବାରେ ଶ୍ରୀ ରାଉତଙ୍କ ଭୁମିକା ଉଲ୍ଲେଖନୀୟ । ଏହାର ପ୍ରତିଫଳନ ମଧ୍ୟ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଡିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ତାଙ୍କର ଏହି ସାଙ୍ଗଠନିକ କାର୍ଯ୍ୟ ପାଇଁ ୨୦୨୪ରେ ମଧ୍ୟ ସେ ପାଟକୁରାରୁ ବିଧାୟକ ରେସରେ ଶୀର୍ଷରେ ରହିବେ ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି । ପାଟକୁରା ନିର୍ବାଚନମଣ୍ଡଳୀର ଜୋନ ନମ୍ବର ୧୧ ଦାୟିତ୍ୱ ବିଧାୟିକା ସାବିତ୍ରୀ ଅଗ୍ରୱାଲ ଓ ତାଙ୍କ ପୁତ୍ର ସଞ୍ଜୟ ଅଗ୍ରୱାଲ ନେଇଥିଲେ । କିନ୍ତୁ ଫଳ ହେଲା ଶୂନ । ଏହି ଜୋନରେ ବିଜେପି ପ୍ରାର୍ଥୀନୀ ଡଲି ଶତପଥୀ ବିଜୟୀ ହୋଇଛନ୍ତି । ଯାହା ଫଳରେ ସାବିତ୍ରୀ ଓ ସଞ୍ଜୟଙ୍କ ରଣନୀତି ସମଗ୍ର ନିର୍ବାଚନମଣ୍ଡଳୀରେ ଫେଲ ମାରିଛି ବୋଲି ପାଟକୁରାରେ ଆଲୋଚନା ହେଉଛି । ଶ୍ରୀ ରାଉତ ୨୦୧୭ ଓ ୨୦୨୦ ମସିହାରେ ଇଣ୍ଟରଭ୍ୟୁ ଟାଇମ୍ସ ପତ୍ରିକା ଦ୍ୱାରା ରାଜ୍ୟର ଶ୍ରେଷ୍ଠ ୨୦ ଜଣ ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହି ପୁରସ୍କୃତ ହୋଇଛନ୍ତି ।


