ଛାତ୍ରନେତାରୁ ରାଜନୀତି ମୈଦାନରେ ଯୁବନେତା କୃଷ୍ଣଚନ୍ଦ୍ର ସୁଆଁସିଆ
ଶେରଗଡ଼, (ବିଭୁ ପ୍ରସାଦ ଦାସ) :ବଦଳିବ ଗାଁ, ବଦଳିବ ପଞ୍ଚାୟତ।ଗାଁଗଣ୍ଡାର ହେବ ସର୍ବାଙ୍ଗୀନ ବିକାଶ ।ନିର୍ବାଚନ ଆସିଲେ ଏ ନାରା ସବୁନେତାଙ୍କ ମୁହଁରୁ ଶୁଣିବାକୁ ମିଳେ । ଘରଘର ବୁଲି ପୁଳାପୁଳା ପ୍ରତିଶ୍ରୁତି ଦିଅନ୍ତି ପୁରୁଖା ପ୍ରାର୍ଥୀ।ହେଲେ ଭୋଟ ସରିବା ପରେ ସରିଯାଏ ସମ୍ପର୍କ । ଲିଭିଯାଏ ପ୍ରତିଶ୍ରୁତି । କିନ୍ତୁ ସେହି ଚିରାଚରିତ ପ୍ରତିଶ୍ରୁତିରୁ ବାହାରି କିଛି ଭିନ୍ନ କରିବାରୁ ପ୍ରତିଜ୍ଞା ନେଉଛନ୍ତି ଯୁବପିଢି । ଲୋକେ ବି କିଛି ପରିବର୍ତ୍ତନ ଆଶାରେ ପୁରୁଖାଙ୍କୁ ପାଶୋରି ନୂଆ ଚେହେରାଙ୍କ ଉପରେ ବିଶ୍ୱାସ ଜନ୍ମାଉଛନ୍ତି । ଆଉ ଯୁବପିଢି ନିଜ ଅଞ୍ଚଳର ବିକାଶ ପାଇଁ ରାଜନୀତିରେ ପାଦ ଥାପିବା ଆରମ୍ଭ କରିଛନ୍ତି । ଏଇ ଯେମିତି ସାଧାରଣ ପରିବାରର ୨୧ବର୍ଷର ଯୁବକ କୃଷ୍ଣଚନ୍ଦ୍ର ସୁଆଁସିଆ ରାଜନୀତି ବିଜ୍ଞାନରେ ସ୍ନାତକ ସରିଲା ପରେ ଜିଓ କମ୍ପାନୀରେ କାମ ଛାଡି ସରପଞ୍ଚ ପ୍ରାର୍ଥୀ ଭାବେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠଗାଁ ପଞ୍ଚାୟତର ପ୍ରତିନିଧି ସକାଶେ ନାମାଙ୍କନ ଭରିଛନ୍ତି । କୃଷ୍ଣଚନ୍ଦ୍ର ଉକ୍ତ ଅଞ୍ଚଳରେ ଜଣେ ପରୋପକାରୀ ଓ ଯୁବ ସମାଜସେବୀ ଭାବେ ବେଶ୍ ଜଣାଶୁଣା ହୋଇଥିବା ଯୋଗୁଁ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳୁଛି । କୃଷ୍ଣଚନ୍ଦ୍ରଙ୍କ ପରିବାର ସାଧାରଣ ଚାଷୀ ପରିବାର । ରୋଜଗାର କହିଲେ ସ୍ବଳ୍ପ ଯାହା ପରିବାର ପ୍ରତିପୋଷଣ କରିବା ଭାରି କଷ୍ଟ ହୋଇପଡିଥାଏ । ବାପା ଜଣେ ଚାଷୀ।ଚାଷ କରି ସେ ପୁଅକୁ ସ୍ନାତକ ପର୍ଯ୍ୟନ୍ତ ପଢାଇ ମଣିଷ କରିଛନ୍ତି।ପୁଅ ଟଙ୍କା ରୋଜଗାର କରୁ,ଏ ଇଚ୍ଛା ସବୁ ବାପାଙ୍କର ଥାଏ ।ହେଲେ କୃଷ୍ଣଚନ୍ଦ୍ରଙ୍କ ବାପା କିନ୍ତୁ ପୁଅ ରାଜନୀତିରେ ଲୋକଙ୍କ ସେବା କରିପାରିବ ବୋଲି ଖୁସି ଅଛନ୍ତି । ଗୋଠଗାଁ ପଞ୍ଚାୟତ ଚାଷ ବହୁଳ ହୋଇଥିବାରୁ ଅନେକ ଲୋକ ଚାଷ ଉପରେ ନିର୍ଭର କରନ୍ତି।ତେଣୁ ଚାଷ କ୍ଷେତ୍ରରେ ବିକାଶକୁ ଗୁରୁତ୍ବ ଦେବାକୁ କୃଷ୍ଣଚନ୍ଦ୍ର ଲକ୍ଷ୍ୟ ରଖିଛନ୍ତି।ତତ୍ ସହିତ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର କର୍ମନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ଯ ରଖିଛନ୍ତି।ଅନ୍ୟପଟେ ଯୁବଗୋଷ୍ଠୀଙ୍କ ପାଇଁ କିଛି ନୂଆ କରିବାକୁ ପ୍ରତିଶ୍ରୁତି ଦେଉଥିବା କୃଷ୍ଣଚନ୍ଦ୍ର ଉଚ୍ଚ ଶିକ୍ଷିତ ହୋଇଥିବାରୁ ଲୋକଙ୍କ ସମସ୍ୟାକୁ ତୃଣମୂଳ ସ୍ତରରେ ବୁଝି ତାର ସମାଧାନ କରିପାରିବେ ବୋଲି ସ୍ଥାନୀୟ ଲୋକେ ଏବଂ ତାଙ୍କ ସମର୍ଥିତ ଲୋକେ ଆଶା ବାନ୍ଧିଛନ୍ତି ।


