ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ କମିଟି ପକ୍ଷରୁ ଆୟୋଜିତ ବୈଠକରେ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଲୋକଙ୍କ ସମସ୍ୟା ସମାଧାନ ସାଙ୍ଗକୁ ସମସ୍ତଙ୍କ ପାଖରେ ସରକାରୀ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିପରି ଜିଲାର ଚଳିତ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଥିବା ସମସ୍ୟାଗୁଡ଼ିକୁ ନିର୍ବାଚନୀ ପ୍ରସଙ୍ଗ କରିବାକୁ ନିବେଦନ କରାଯାଇଛି । ଏଥି ସହିତ ବିଭିନ୍ନ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଦାବିରେ ଚଳିତ ମାର୍ଚ୍ଚ ମାସରେ ଜିଲାବ୍ୟାପୀ ପଦଯାତ୍ରା ଓ ବିଧାନସଭା ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମକୁ ପୌର ନିର୍ବାଚନ ଦୃଷ୍ଟିରୁ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କମିଟିର ସଭାପତି ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଅବସରରେ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ପରିଡ଼ା, ପ୍ରଭାକର ସାହୁ, ନିରଞ୍ଜନ ରାଉତ ଓ ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ରବିନାରାୟଣ ଭୋଳ, ସୀତାରାମ ପ୍ରଧାନ, ଶଚିନ୍ଦ୍ର ଦାସ, ଦୀନବନ୍ଧୁ ଲେଙ୍କା, ଯତୀନ ପାତ୍ର, ଡା. ତାରାକାନ୍ତ ନନ୍ଦ, ବନ୍ଦନା ବିଶ୍ୱାସ, କିଶୋର କୁମାର ସେନ, ଡ. କ୍ଷୀତିଶ୍ୱର ଦାଶ ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯଶୋଦାନନ୍ଦନ ଆଶ୍ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।