ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ସାଜିଲେ ଯୁବ ଭୋଟର
ହାଟଡିହି, (ବିକାଶ ବିଶ୍ୱାଳ ) :ଚଳିତ ପଞ୍ଚାୟତ ନିର୍ବାଚନରେ ଯୁବ ଭୋଟର ମାନେ ନିର୍ଣ୍ଣାୟକ ସାଜିଥିବା ଆଲୋଚନା ହେଉଛି । ଯେଉଁ ପଞ୍ଚାୟତରେ ପୟାର୍ଥୀମାନେ ଯୁବ ଭୋଟର ମାନଙ୍କୁ ଧରି ନିର୍ବାଚନ ପ୍ରଚାର ଓ ପରିଚାଳନା କରିଛନ୍ତି ସେହି ସବୁ ପ୍ରାର୍ଥୀମାନେ ବିଜୟ ହାସଲ କରିପାରିଛନ୍ତି । ବିଶେଷକରି ହାଟଡିହି , ଶାଳଣିଆଁ, ଶାସଙ୍ଗ, ପଢ଼ିଆରିପଲ୍ଲୀ, ମରୈଗାଁ, ପନ୍ଦାଡୋ, ଜମ୍ଭୀରା, ବଞ୍ଚୋ, ସୁଲଣ, ପଞ୍ଚୁଗୋଛିଆ ଆଦି ପଞ୍ଚାୟତରେ ଏପରି ଦେଖିବାକୁ ମିଳିଛି । ହାଟଡିହି ପଞ୍ଚାୟତରେ ନବ ନିର୍ବାଚିତ ହୋଇଥିବା ସରପଞ୍ଚ ଚିନ୍ମୟ ନାୟକ ତାଙ୍କ ନିର୍ବାଚନ ପ୍ରଚାରରେ ଯୁବକ ମାନଙ୍କୁ ସୁସଂଗଠିତ କରିବାରେ ସଫଳ ହେବାରୁ ସହଜରେ ନିର୍ବାଚନ ବୈତରଣୀ ପାର ହୋଇଥିବା କହିଛନ୍ତି । ସେହିପରି ଜମ୍ଭୀରାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ବିଜୟୀ ସରପଞ୍ଚ ଘନଶ୍ୟାମ ମଲ୍ଲିକ ପ୍ରାରମ୍ଭରୁ ଯୁବ ଭୋଟର ମାନଙ୍କୁ ଆକୃଷ୍ଟକରି ସେମାନଙ୍କ ସହଯୋଗରେ ନିର୍ବାଚନ ପରିଚାଳନା କରିବାଦ୍ୱାରା ବିଜୟର ସ୍ୱାଦ ପାଇଲେ ବୋଲି କହିଛନ୍ତି । ସେହିପରି ବଞ୍ଚୋ ପଞ୍ଚାୟତର ସରୀପଞ୍ଚ ଭାବେ ବିଜୟୀ ହୋଇଥିବା ପ୍ରଶାନ୍ତ ରାଉତ ମଧ୍ୟ ଯୁବ ଭୋଟର ମାନଙ୍କ ଯୋଗୁଁ ବିଜୟୀଟୀକା ପିନ୍ଧିଲେ ବୋଲି ମତ ଦେଇଛନ୍ତି ।