ଟୋଲ୍ ଫ୍ରି ଟେଲିଫୋନ୍ ନମ୍ବର ଜାରି କର-ସମଜାବାଦୀ ପାର୍ଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଗତ ମାସ ୧୯ ତାରିଖ ଦିନ ସମାଜବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ସ୍ମାରକପତ୍ରରେ ସମ୍ଭାବ୍ୟ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ କରାଯାଇଥିଲା । ଜବରଦସ୍ତ ଟାଟା ପାୱାର ଯେଉଁ ନୂଆ ମିଟର ବସାଉଛି ତାକୁ ବିରୋଧ କରାଯାଇଥିଲା । ବିଜୁଳି ଗ୍ରାହକଙ୍କ ପାଇଁ ରାଜ୍ୟରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ବିଜୁଳିଶକ୍ତି ଯୋଗାଇଦେବାକୁ ଏହି ସ୍ମାରକପତ୍ରରେ ଦର୍ଶାଯାଇଥିଲା । ସରବରାହ ଜନିତ (ଏଟିସି) କ୍ଷତି କମାଇବା ପାଇଁ ବିଜୁଳି କମ୍ପାନୀମାନଙ୍କର ଏପର୍ଯ୍ୟନ୍ତ ରାଜ୍ୟରେ ହୋଇଥିବା ବିଜୁଳି ସଂସ୍କାର ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଥିଲା । ନିଜେ ଓଇଆରସିର ସଚିବ ଶ୍ରୀଯୁକ୍ତ ପ୍ରିୟବ୍ରତ ପଟ୍ଟନାୟକ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଠାରୁ ସ୍ମାରକପତ୍ରଟି ଗ୍ରହଣ କରିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ମାନ୍ୟବର ଆୟୋଗ ଏହିସବୁ ଦାବି ସମୂହକୁ ବିଚାରକୁ ନେବେ । କିନ୍ତୁ ଦୁଃଖର କଥା ୫ଟି ଦାବି ମଧ୍ୟରୁ କେବଳ ୨୦୨୨-୨୩ ଆର୍ଥିକ ବର୍ଷରେ ଖାଉଟିଙ୍କ ପାଇଁ ବିଜୁଳି ଶୁଳ୍କ ବଢିବ ନାହିଁ ବୋଲି ଆଜି ଓଇଆରସି ସଚିବ ଶ୍ରୀଯୁକ୍ତ ପ୍ରିୟବ୍ରତ ପଟ୍ଟନାୟକ ଗଣମାଧ୍ୟମ ଜରିଆରେ ଘୋଷଣା କରିଛନ୍ତି । ଏହାକୁ ସମାଜବାଦୀ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଅନ୍ୟ ଚାରିଗୋଟି ଦାବି ଯଥା-୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ଉପଭୋକ୍ତାଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ନୋଡ଼ାଲ ଅଧିକାରୀ ନିଯୁକ୍ତି ଓ ଟୋଲ୍‌ଫ୍ରି ନମ୍ବର, ବିଜୁଳି ସଂସ୍କାର ଉପରେ ଶ୍ୱେତପତ୍ର ଏବଂ ସରବାହ ଜନିତ କ୍ଷତି କମାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଦାବିରେ ଆଗାମୀ ଦିନରେ ପୁନଶ୍ଚ ଓଇଆରସି କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ଆଗରେ ଦାବି କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ରାଜ୍ୟର ୯୨ଲକ୍ଷ ବିଜୁଳି ଗ୍ରାହକ ସାମୟିକ ଆଶ୍ୱସ୍ତି ପାଇଥିଲେ ମଧ୍ୟ ଯେପର୍ଯ୍ୟନ୍ତ ଏଟିସି କ୍ଷତିକୁ କମାଯାଇ ନାହିଁ, ସେପର୍ଯ୍ୟନ୍ତ ଉପଭୋକ୍ତାଙ୍କ ମୁଣ୍ଡ ଉପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ଡ଼େମୋକ୍ଲିପ୍ ଖଣ୍ଡା ଝୁଲି ରହିଥିବ ବୋଲି ଶ୍ରୀ ବେହେରା ମତପ୍ରକାଶ କରିଛନ୍ତି । ତୁରନ୍ତ ଓଇଆରସି କର୍ତ୍ତୃପକ୍ଷ ବିଜୁଳି କମ୍ପାନୀମାନଙ୍କୁ ନିଜର ଭିତ୍ତିଭୂମିର ବିକାଶ ପାଇଁ ତାଗିଦା କରିବା ସହିତ ସରବରାହ ଜନିତ କ୍ଷତିକୁ କମାଇବା ପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ଏକ ପ୍ରତିଶତ ଏଟିସି କ୍ଷତି କମାଯାଇପାରିଲେ, ୧୫୩ କୋଟି ଟଙ୍କାର ବାର୍ଷିକ ରାଜସ୍ୱ ବଞ୍ଚାଇ ଦିଆଯାଇ ପାରିବ । କିନ୍ତୁ ଆଜି ବି ଓଡ଼ିଶାରେ ବିଜୁଳି କମ୍ପାନୀମାନଙ୍କ ଠାରୁ ସରବରାହ ଜନିତ କ୍ଷୟକ୍ଷତି ପାଖାପାଖି ୨୯ ଭାଗ । କମ୍ପାନୀମାନଙ୍କର ଅପରାଗତା, କର୍ମକର୍ତ୍ତାମାନଙ୍କର ଚରମ ଦୁର୍ନୀତି ଓ ସର୍ବୋପରି ଗ୍ରାହକମାନଙ୍କ ପ୍ରତି ସରକାର ଓ ବିଦ୍ୟୁତ୍ ନିୟାମକ ଆୟୋଗର ଉଦାସୀନତା ଯୋଗୁ ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ପ୍ରତିବର୍ଷ ବଢି ବଢି ଚାଲିଛି । ଏଠାରେ ଉଲ୍ଲେଖ କରାଯାଇପାରେ କି ସମଗ୍ର ଭାରତବର୍ଷରେ ଓଡ଼ିଶାରେ ପ୍ରଥମେ ୧୯୯୪-୯୫ ମସିହାରେ ବିଶ୍ୱବ୍ୟାଙ୍କ ଋଣରେ ବିଜୁଳି ସଂସ୍କାର ଆରମ୍ଭ ହୋଇଥିଲା । ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦିଆଯିବ । କିନ୍ତୁ ବିଦ୍ୟୁତ୍ ସଂସ୍କାରର ୨୭ ବର୍ଷ ପରେ ଏହା ସମ୍ଭବ ହୋଇପାରି ନାହିଁ । ସେଥିପାଇଁ ପରିଚାଳନାଗତ ଅପାରଗତା, ଦୁର୍ନୀତି, ଯୁଗପୋଯୋଗୀ ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଫଳତା ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ କମ୍ପାନୀମାନଙ୍କ ବ୍ୟର୍ଥତା ଯୋଗୁ ୯୨ଲକ୍ଷ ଗ୍ରାହକଙ୍କ ମୁଣ୍ଡ ଉପରେ ଶୁଳ୍କ ବୃଦ୍ଧିର ଚଡ଼କ ପଡୁଛି । କମ୍ପାନୀମାନଙ୍କ ଆର୍ôଥକ କ୍ଷତିକୁ ଭରଣା କରିବା ପାଇଁ ନାନା ଫନ୍ଦି ଫିକର କରି ବିଜୁଳି କମ୍ପାନୀମାନେ ଶୁଳ୍କ ବୋଝ ଲଦି ଚାଲିଛନ୍ତି । ପ୍ରଥମଥର ପାଇଁ ଜନସାଧାରଣଙ୍କ ବିକ୍ଷୋଭକୁ ସମ୍ମାନ ଜଣାଇ ବୋଧହୁଏ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ଶୁଳ୍କ ବୃଦ୍ଧିରୁ ନିଜକୁ କ୍ଷାନ୍ତ ରଖିଛନ୍ତି । ଆଶା କରିବୁ ଅଗାମୀ ଦିନରେ ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଓଇଆରସି କର୍ତ୍ତୃପକ୍ଷ ଟୋଲ୍ ଫ୍ରି ନମ୍ବର, ନୋଡ଼ାଲ ଅଧିକାରୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ଉପରେ ପଦକ୍ଷେପ ନେବାକୁ ସରକାର ବିଜୁଳି କମ୍ପାନୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବେ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବନ୍ଦ ରଖିଥିବାରୁ ପୁନଶ୍ଚ ଓଇଆରସି କର୍ତ୍ତୃପକ୍ଷଙ୍କୁ ଶ୍ରୀ ବେହେରା ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ