ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଆସନ୍ତା କାଲି ରାଜ୍ୟପାଳଙ୍କୁ ଭେଟିବେ ଶିବସେନା, କଂଗ୍ରେସ ଓ ଏନସିପି
ମୁମ୍ବାଇ : ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ଏକ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ସଂପର୍କରେ ସହମତି ହେବା ପରେ ଏହି ତିନିଦଳ ରାଜ୍ୟପାଳ ଭଗତ ସିଂ ଖାସ୍ୟାରୀଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ । ମୁଖ୍ୟମନ୍ତ୍ରୀ ପଦ ଶିବସେନା ପାଖରେ ରହିବ ବୋଲି କୁହାଯାଉଥିଲେ ମଧ୍ୟ ଏ ନେଇ ସଂପୂର୍ଣ୍ଣ ସହମତି ହୋଇନଥିବା ସଂକେତ ଦେଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।
କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଶିବସେନା ବିଜେପି ମେଣ୍ଟରୁ ବାହାରି ଆସିଛି । ଏଣୁ ଶିବସେନାକୁ ହିଁ ମୁଖ୍ୟମନ୍ତ୍ରୀ ପଦ ମିଳିବ । କିନ୍ତୁ ଅନ୍ୟ ଦୁଇ ଦଳ (କଂଗ୍ରେସ, ଏନସିପି)ରୁ ଯଦି କୌଣସି ଦାବି ହୁଏ ତେବେ ସେ ସଂପର୍କରେ ଚିନ୍ତା କରାଯିବ । ପାୱାରଙ୍କ ଏହି ବକ୍ତବ୍ୟ ଦର୍ଶାଉଛି ଯେ ମୁଖ୍ୟମନ୍ତ୍ରୀ ପଦ ନେଇ ଏବେ ବି ଆଲୋଚନା ଜାରି ରହିଛି । ଅନ୍ୟପକ୍ଷରେ ଶିବସେନାରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ କିମ୍ବା ଦଳରୁ ଆଉ କାହାକୁ ମନୋନୀତ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗତ ୧୨ ତାରିଖରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ଭଗତ ସିଂ କାସ୍ୟାରୀ ସୁପାରିଶ କରିଥିଲେ । ଏହାକୁ ରାଷ୍ଟ୍ରପତି ମଂଜୁରୀ ଦେବା ପରେ ରାଜ୍ୟରେ ଏବେ ରାଷ୍ଟ୍ରପତି ଶାସନ ଚାଲିଛି ।


