ବୋମା ଫୁଟି ୩ ନାବାଳିକା ଗୁରୁତର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଟିଲୋ ତ୍ରିକୋଣା ଛକ ଇଟା ଫ୍ୟାକ୍ଟରୀସ୍ଥିତ ଏକ ବୁଦା ନିକଟରେ ଆଜି ଅପରାହ୍ନରେ ଏକ ବୋମା ଫୁଟି ୩ ଆଦିବାସୀ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ଦେବତା ଗଢିଆ ଗ୍ରାମର ୩ ଜଣ ଆଦିବାସୀ ନାବାଳିକା ତ୍ରିକୋଣା ଇଟାଭାଟିସ୍ଥିତ ଏକ ପୋଖରୀ ନିକଟରେ ବୁଲୁଥିବା ବେଳେ ସେଠାରେ ଥିବା ଏକ ବୁଦା ମୂଳେ ଗୋଟିଏ ବ୍ୟାଗ୍ ଥିବା ଦେଖି ତାହାକୁ ଖୋଲିଥିଲେ । ପରେ ବ୍ୟାଗ୍ ଭିତରେ ଥିବା ଏକ ବୋମା ହଠାତ୍ ଫୁଟି ଥିଲା । ଫଳରେ ୩ ଜଣ ନାବାଳିକା ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଗୁରୁତର ଆହତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଦ୍ରକ ପଠାଇଥିଲେ । ଘଟଣା ସ୍ଥଳରେ ଆଉ ୨ ଗୋଟି ଅଫୁଟା ବୋମାକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି । ଏହି ବୋମା କିପରି ଏଠାକୁ ଆସିଲା ଏବଂ କିଏ ଆଣି ରଖିଥିଲା ସେନେଇ ପୋଲିସ ଅଧିକ ଖୋଳତାଡ କରିଛି । ବନ୍ତ ଅଞ୍ଚଳରେ ଏପରି ବୋମା ଆସି ରହିବା ଏବଂ ଫୁଟିବା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଜିଲା ଆରକ୍ଷୀ ଅଧିକ୍ଷକ ଏହି ଘଟଣାକୁ ଗୁରୁତ୍ୱ ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।


