କୁଲଣା ଗାଁ ର କୁନି ପ୍ରତିଭା : ସ୍ୱର୍ଣ୍ଣ ପଦକ ହାସଲ କଲେ ଆର୍ଯ୍ୟସୃଷ୍ଟି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ଗ୍ରାମର ଶ୍ରୀକାନ୍ତ ପଟ୍ଟନାୟକ ଓ ପ୍ରୀତି ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଆର୍ଯ୍ୟସୃଷ୍ଟି ମାର୍ଶାଲ ଆର୍ଟ୍ସ (କରାଟେ) ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଇଚ୍ଛା ଶକ୍ତି ଆଗରେ ବୟସ ଯେ ହାର ମାନିଥାଏ ସେକଥା ପ୍ରମାଣିତ କରିଛନ୍ତି ଆର୍ଯ୍ୟସୃଷ୍ଟି। ସେ ଏବେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ମାତ୍ର ୧୧ବର୍ଷ ବୟସରେ ଗୁରୁତ୍ୱପୂର୍ଣ୍ଣ କରାଟେ ପ୍ରତିଯୋଗିତାରେ ଭାଗ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି। ଚଳିତ ମାସ ୨୫ରୁ୨୭ତାରିଖ ତିନିଦିନ ଧରି କୋଲକାତା ଠାରେ ଆୟୋଜନ ହୋଇଥିବା ମାର୍ଶାଲ ଆର୍ଟ୍ସ ପ୍ରତିଯୋଗିତାରେ ଆର୍ଯ୍ୟସୃଷ୍ଟି ଭାଗନେଇଥିଲେ। ଏଥିରେ ପାଞ୍ଚ ଗୋଟି ରାଜ୍ୟର ୧୫ବର୍ଷରୁ କମ ପ୍ରାୟ ୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଓଡିଶାରୁ ପାଖାପାଖି ୨୦ଜଣ କୁନି କ୍ରୀଡ଼ାବିତ ଏଥିରେ ଭାଗ ନେଇଥିବା ବେଳେ ଆର୍ଯ୍ୟସୃଷ୍ଟି ସମସ୍ତଙ୍କୁ ଚକିତ କରି ରାଜ୍ୟ ସ୍ତରର ଖେଳାଳି ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ଜିଲ୍ଲା ସ୍ତରରେ ମଧ୍ୟ ସ୍ୱର୍ଣ୍ଣ ପଦକ ସହିତ ରୌପ୍ୟ ପଦକ ହାସଲ କରିଥିଲେ। ପ୍ରଶିକ୍ଷକ ମନୋରଞ୍ଜନ ଭଞ୍ଜ ଓ ସହ ପ୍ରଶିକ୍ଷକ ଜଟାଧାରୀ ରାଓଙ୍କ ଠାରୁ ପ୍ରଶିକ୍ଷଣ ଗ୍ରହଣ କରିଥିବା ଆର୍ଯ୍ୟସୃଷ୍ଟି ଆଗକୁ ଜାତୀୟ ସ୍ତରରେ ଖେଳିବାକୁ ଆଶା ରଖିଛନ୍ତି। ଜଣେ ମେଧାବୀ ଛାତ୍ରୀ ଭାବେ ପୂର୍ବରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୁନି କ୍ରୀଡ଼ାବିତଙ୍କ କୃତିତ୍ବ ପାଇଁ ପରିବାର ସମେତ ଗାଁ ସାହି ପଡ଼ିଶାରେ ଖୁସିର ମାହୋଲ ଖେଳି ଯାଇଛି। ଗୌରବ ଅର୍ଜନ କରିଥିବା କୁନି ପ୍ରତିଭାଙ୍କୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।


