ପେଟ୍ରୋଲ-ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧିର ପ୍ରତିବାଦ ଜିଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା) :ପେଟ୍ରୋଲ ଓ ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ବିରୋଧରେ ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ କର୍ମୀ ଓ ସମର୍ଥକମାନେ ସ୍ଥାନୀୟ ମିଶନ ପଡ଼ିଆରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରୀ ଗିରିଙ୍କ ସମେତ ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା, ସମ୍ପାଦକ ଦେବଦତ୍ତ ଦାସ, ଯୁବ କଂଗ୍ରେସ ଜିଲା ସଭାପତି ରଂଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଅଣସଂଗଠିତ ଶ୍ରମିକ କଂଗ୍ରେସ ଜିଲା ସଭାପତି ବିକାଶ ଦାସ ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ତୈଳନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ସ୍ଥଗିତ ରଖି ସାଧାରଣ ଜନତାଙ୍କୁ ଭୁଆଁ ବୋଲାଇ ଚାଲିଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ । ୫ଟି ରାଜ୍ୟରେ ନିର୍ବାଚନ ପରେ ଗତ ୧୦ ଦିନ ମଧ୍ୟରେ ତୈଳ ଦର ୧୦ଟଙ୍କା ବଢିଥିବା ବେଳେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହେଲାଣି । କେନ୍ଦ୍ର ସରକାରଙ୍କ ଜନ ଶୋଷଣ ନୀତି ଯୋଗୁଁ ସମ୍ପ୍ରତି ଏବେ ଦେଶରେ ପେଟ୍ରୋଲ ଓ ଡିଜେଲର ପ୍ରତି ଲିଟର ମୂଲ୍ୟ ୧୧୦ ଟଙ୍କା ଅତିକ୍ରମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କଂଗ୍ରେସ ନେତାମାନେ କହିଛନ୍ତି । ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିର ପ୍ରଭାବ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜନସାଧାରଣଙ୍କ ଉପରେ ପଢ଼ିବାରେ ଲାଗିଛି । ଏଥି ଯୋଗୁଁ ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ତୈଳ ଦରବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଢ଼ିବାରେ ଲାଗିଛି । ଏହା ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । କେନ୍ଦ୍ର ସରକାର ଦେଶର ଅର୍ଥନୀତି ପରିଚାଳନାରେ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ନେତାମାନେ କହିଛନ୍ତି । ଟିକସ ମାଧ୍ୟମରେ ଦଳୀୟ ପାଣ୍ଠି ବଢ଼ାଇବା ନୀତି ଛାଡ଼ି ସରକାର ତୁରନ୍ତ ତୈଳଦର ହ୍ରାସ ନକଲେ ଆଗାମୀ ଦିନରେ କଂଗ୍ରେସ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲା ନେତାମାନେ ଚେତାବନୀ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ