ଡ.ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ନବନିର୍ବାଚିତ ପ୍ରତିନିଧିମାନେ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବିଶିଷ୍ଠ ଶିଳ୍ପପତି ତଥା ବିଜେଡି ନେତା ଡ.ତିରୁପତି ପାଣିଗ୍ରାହୀ ଓ ଯୁବ ନେତା ଇଂ.ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାର ନବ ନିର୍ବାଚିତ ଜନ ପ୍ରତିନିଧିମାନେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଓ ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କୁ ଗତକାଲି ଭୁବନେଶ୍ୱର ଠାରେ ସାକ୍ଷାତ କରିଥିବାର ଜଣାପଡିଛି । ସାକ୍ଷାତ କରିଥିବା ଏହି ଜନ ପ୍ରତିନିଧିଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଉପାଧ୍ୟକ୍ଷ ସକୁନ୍ତଳା ମଲ୍ଲିକ, ପାରଳାଖେମୁଣ୍ଡି ପୌରଅଧ୍ୟକ୍ଷା ନିର୍ମଳା ସେଠୀ, କାଶୀନଗର ଏନ୍ଏସି ଅଧ୍ୟକ୍ଷା ଏମ୍.ସୁଧାରାଣୀ ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକର ବିଜେଡି ସମର୍ଥିତ ଅଧ୍ୟକ୍ଷ/ଅଧ୍ୟକ୍ଷା ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ଜେନା ଗଜପତି ଜିଲ୍ଲାର ଏହି ନବନିର୍ବାଚିତ ପ୍ରତିନିଧିଙ୍କୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ଘରେ ଘରେ ପହଞ୍ଚାଇ ଅଞ୍ଚଳର ବିକାଶ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିବାର ଜଣାପଡିଛି । ଅନ୍ୟପକ୍ଷରେ ଏହି ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ଜେନା, ପର୍ଯ୍ୟବେକ୍ଷକ ଶ୍ରୀ ନାୟକଙ୍କୁ କୃତଜ୍ଞତା ତଥା ସାଧୁବାଦ ଜଣାଇବା ସହ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ତୃଣମୂଳସ୍ତରରେ ପହଞ୍ଚାଇ ଅଞ୍ଚଳର ବିକାଶ ଓ ଉନ୍ନତି ଦିଗରେ ଶତପ୍ରତିଶତ କାର୍ଯ୍ୟକରିବୁ ବୋଲି ପ୍ରତିଶ୍ରୁତି ଦେଇ ଫେରିଥିବାର ମଧ୍ୟ ଜଣାପଡିଛି ।


