ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ରେ ବିଜେଡି କୁ ଝଟକା କଂଗ୍ରେସ ର ନିର୍ବାଚିତ ହେଲେ କେ . ପୂଜା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଗୁରୁବାର ଦିନ କଂଗ୍ରେସ ଓ ବିଜେଡି ମଧ୍ୟରେ ଜୋରଦାର ଲଢେଇ ଚାଲିଥିବା ବେଳେ ଶେଷରେ ପୁଣିଥରେ କଂଗ୍ରେସର ବାଜିମାତ ହୋଇଯାଇଛି । ଚଳିତ ପୈାର ନିର୍ବାଚନରେ ୬ ନଂ ୱାର୍ଡ ପାଇଁ ନିର୍ବାଚିତ ହୋଇଥିବା କଂଗ୍ରେସ ସମର୍ଥିତ ପ୍ରାର୍ଥୀନୀ କେ. ପୂଜା ଆଜି ଦିଗପହଣ୍ଡି ଏନ୍ ଏସିର ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି । ଦିଗପହଣ୍ଡି ପୈାର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ପୈାର ନିର୍ବାଚନ ଅଧିକାରୀ ତଥା ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ରଙ୍କ ସମେତ ନବ ନିର୍ବାଚିତ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଏବଂ ୧୧ ଜଣ ନିର୍ବାଚିତ କାଉନସିଲର ମାନେ ଉପସ୍ଥିତ ରହିଥିଲେ । ତେବେ ଉପାଧ୍ୟକ୍ଷ ପଦବୀ ହାସଲ ପାଇଁ ୩ ନଂ ୱାର୍ଡରୁ ବିଜେଡି ପକ୍ଷରୁ ନିର୍ବାଚିତ ହୋଇଥିବା କରିସ୍ମା ନାୟକ ଓ କେ . ପୂଜା ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହାପରେ ୧୧ ଜଣ କାଉନସିଲର ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ମତଦାନ କରିଥିଲେ । ଶେଷରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ପୂଜା ତାଙ୍କ ପ୍ରତିଦ୍ବନ୍ଦୀ କରିସ୍ମାଙ୍କୁ ୬ – ୫ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟର ମୁକୁଟ ପିନ୍ଧିଥିଲେ । ପୂର୍ବରୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଏନ୍ ଏସି ନଗରପାଳ ଭାବେ କଂଗ୍ରେସରୁ ଶ୍ରୀ ପଣ୍ଡା ବିପୁଳ ଭୋଟରେ ବିଜୟୀ ହୋଇ ବିଜେଡି ଗଡ଼ରେ କଂଗ୍ରେସ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ତେବେ ଆଜି ବିଜେଡି ସମର୍ଥକ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ପଦବୀ ହାସଲ ଯେଉଁ ଆଶା ରହିଥିଲା ତାହାକୁ ମଧ୍ୟ ଧୂଳିସାତ କରିଛି ପୁଣିଥରେ କଂଗ୍ରେସ । ଦିଗପହଣ୍ଡି ମାଟିରେ ବିଜେଡି ଦଳକୁ ଏକ ପ୍ରକାର ଶକ୍ତ ଝଟକା ଲାଗିଥିବା ନେଇ ଚର୍ଚ୍ଚା ହେଉଥିବା ଆଗାମୀ ଦିନରେ ଦଳକୁ କିପରି ସୁଦୃଢ କରିବ ତାହାକୁ ନେଇ ଦ୍ଵନ୍ଦ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀ ଶ୍ରୀ ପାତ୍ରଙ୍କ ଫଳାଫଳ ଘୋଷଣା ପରେ ନବ ନିର୍ବାଚିତ ଉପାଧ୍ୟକ୍ଷା ପୂଜାଙ୍କୁ ନଗରପାଳ ଶ୍ରୀ ପଣ୍ଡା ସମେତ ମହିଳା କଂଗ୍ରେସ ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ବନଜା ପଣ୍ଡା ,କଂଗ୍ରେସ କମିଟି ଜିଲ୍ଲା ସମ୍ପାଦକ କେ. କୁନା , କାଉନସିଲର ଦୀପକ କୁମାର ମିଶ୍ର୍ର , ସୁନୀଲ କୁମାର ପଣ୍ଡା , ସନ୍ତୋଷିନୀ ବେହେରା , ମାମିିିିନୀ ବେହେରା , ଇ.ଗାୟତ୍ରୀଙ୍କ ସମେତ ବହୁ ସମର୍ଥକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହ ସନ୍ଧ୍ୟାରେ କଂଗ୍ରେସ ଦଳ ବିଜୟୀ ଉତ୍ସବ ନିମନ୍ତେ ଏକ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିବା ଶ୍ରୀମତୀ ପୂଜା ଭୋଟର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ