ଅଙ୍ଗନବାଡ଼ି କର୍ମୀ-ସହାୟିକାଙ୍କ ମିଳିତ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମିଳିତ ମଞ୍ଚର ଜିଲା କମିଟି ବୈଠକ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଜିଲା ସଭାପତି ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ସମ୍ପାଦିକା ଗୌରୀ ଦାସ ଏଥିରେ ଯୋଗଦେଇ କର୍ମୀ ଓ ସହାୟିକାମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ବିଶେଷ କରି ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ବାହାନଗା ବ୍ଲକ ସିଡିପିଓ ଶିଶୁମାନଙ୍କ ପୋଷାକ କିଣିଥିବାରୁ ଏହାର ପ୍ରତିବାଦ ପରେ ମଧ୍ୟ କର୍ତ୍ତୃପକ୍ଷ ନିଜ ତ୍ରୁଟି ସଂଶୋଧନ କରୁନାହାନ୍ତିି । ଅନ୍ୟପକ୍ଷରେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଆକାଶଛୁଆଁ ଦରବୃଦ୍ଧି ହୋଇ ଚାଲିଥିବା ବେଳେ ଅଙ୍ଗନବାଡ଼ି ଶିଶୁଙ୍କ ଖାଦ୍ୟ ପ୍ରସ୍ତୁତିରେ ଆବଶ୍ୟକୀୟ ସାମଗ୍ରୀର ସରକାରୀ ମୂଲ୍ୟ ସଂଶୋଧନ କରାଯାଉନାହିଁ । ସେହିପରି ଗସ୍ତଖର୍ଚ୍ଚ, ମାସିକ ଭତ୍ତା ପ୍ରଭୃତି ପ୍ରାପ୍ୟ ନିୟମିତ ଦିଆଯାଉନାହିଁ । ଆଇଏସଡି ଦ୍ୱାରା ଧାର୍ଯ୍ୟ ଦାୟିତ୍ୱ ସହ ସରକାରଙ୍କର ବିଭିନ୍ନ ନୂତନ ଯୋଜନାର କାର୍ଯ୍ୟ ବିନା ପାରିଶ୍ରମିକରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦିଆଯାଉଛି । ଏହାଫଳରେ କର୍ମୀ ଓ ସହାୟିକାଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ବୃଦ୍ଧି ପାଇଛି । ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଓ ଜିଲାପାଳଙ୍କୁ ସମସ୍ୟା ସମ୍ପର୍କରେ ବହୁବାର ଜଣାଇଲେ ମଧ୍ୟ ଏହାର ସମାଧାନ ହେଉନାହିଁ । କେତେକ ସୁପରଭାଇଜର ଦୀର୍ଘବର୍ଷ ଧରି ଗୋଟିଏ ସେକ୍ଟରରେ କାର୍ଯ୍ୟକରିବା ଫଳରେ ଦୁର୍ନୀତି ବୃଦ୍ଧିପାଉଛି । ଏହି ସମସ୍ତ ଦାବିନେଇ ଆସନ୍ତା ମଇ ମାସ ୫ ତାରିଖ ଦିନ ବାଲେଶ୍ୱର ସହରରେ ଶୋଭାଯାତ୍ରା ଓ ଜିଲାପାଳଙ୍କ ଦପ୍ତର ସମ୍ମୁଖରେ ସମାବେଶ ତଥା ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଜିଲାର ସମସ୍ତ ପ୍ରୋଜେକ୍ଟ ଓ ସେକ୍ଟର ସ୍ତରରେ ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଲା ଓ ବିଭିନ୍ନ ବ୍ଲକ୍ କମିଟି ପକ୍ଷରୁ ଆରତୀ ଦାସମହାପାତ୍ର, ନିର୍ମଳା ପାଣିଗ୍ରାହୀ, କବିତା ମହାନ୍ତି, ରେଣୁବାଳା ପାତ୍ର, ସୁକାନ୍ତି ବିଶ୍ୱାଳ, ଜୟନ୍ତୀ ରାଉତ, ରମାମଣି ବେହେରା, ଅନୁସୟା ଦଳାଇ, ଯଶୋଦା ବେହେରା, ରିଙ୍କି ମଜୁମ୍ଦାର, ବସୁମତୀ ପ୍ରଧାନ, ସବିତାରାଣୀ ସାହୁ, ନିୟତି ଜେନା, ସୁନନ୍ଦା ତାଲଦି, ନୟନା ଜେନା, ତାପସୀ ଅଗସ୍ତି, ରେବତୀ ରଥ ଓ ସଂଯୁକ୍ତା ସିଂଙ୍କ ସମେତ ସଂଘର କାର୍ଯ୍ୟକାରୀ ସଭାପତି ମାୟାଧର ନାୟକ, ଏଆଇଟିୟୁସିର ଜିଲା ସଂପାଦକ ଶ୍ୟାମସୁନ୍ଦର ଜେନା, ଉପଦେଷ୍ଟା ଆଇନଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଦର ବ୍ଲକର କର୍ମୀ ତଥା ସଂଘର ସଭ୍ୟା ଲକ୍ଷ୍ମୀମଣି ଦାସ ଚାକିରିରୁ ଅବସର ନେଇଥିବାରୁ ତାଙ୍କୁ ସଂଘ ପକ୍ଷରୁ ଉପହାର ଓ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ମୀନା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


