ସର୍ବସାଧାରଣଙ୍କ ହକ୍କରେ ଥିବା ଜମି ଉପରେ ଅନଧିକାର ଭାବେ ଅକ୍ତିଆର କରିବା ନେଇ ତହସିଲଦାର ନିକଟରେ ଅଭିଯୋଗ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଦିଗପହଣ୍ଡି ତହସିଲ ଅନ୍ତର୍ଗତ ବମକୋଇ ପଞ୍ଚାୟତର କୁକୁଟବନ୍ଧ ଗ୍ରାମରେ ଥିବା ସର୍ବସାଧାରଣଙ୍କ ହକ୍କରେ ଥିବା ଜମି ଉପରେ ଅନଧିକାର ଭାବେ ଅକ୍ତିଆର କରିବା ନେଇ ଆଜି ଗ୍ରାମର କିଛି ଲୋକ ତହସିଲଦାର ନିକଟରେ ଅଭିଯୋଗ କରିଥିବା ଜଣାପଡିଛି । ଖବରନୁଯାୟୀ , ଦେଖାଳି ରାଜସ୍ବ ସର୍କଲ ଏହି ଗ୍ରାମରେ ୧୯୯୨ ମସିହା ଠାରୁ କିଛି ଜାଗାକୁ ଗ୍ରାମବାସୀ କୋଠ ଜାଗା ରୂପେ ବ୍ୟବହାର କରିବା ସହ ତାହାର ରକ୍ଷଣାବେକ୍ଷଣ ମଧ୍ୟ କରି ଆସୁଥିଲେ । ତେବେ ଏହି ଜାଗାକୁ ଗ୍ରାମର ଆଦିତ୍ୟ ଚନ୍ଦ୍ର ପାଢ଼ୀ ନାମକ ଜଣେ ଯୁବକ ଅନଧିକର ଭାବେ ନିଜ ଅକ୍ତିଆରକୁ ନେବା ସହ ଏହି ଜାଗାକୁ କୁନା ପାଢ଼ୀ ଠାରୁ କ୍ରୟ କରିଥିବା କହୁଥିବା ଜଣାଇଛନ୍ତି । ଯାହାଫଳରେ ଆଜି ଗ୍ରାମବାସୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ସିପକ କୁମାର ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ରାଜସ୍ବ ନୀରିକ୍ଷକ ସେଠାରେ ପହଞ୍ଚି ଘଟଣାର ସତ୍ୟତା ଅନୁସନ୍ଧାନ କରି ନ୍ୟାୟ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି । ଏହି ସମୟରେ ବିଜୟ କୁମାର ପାଢୀ , ସତ୍ୟବାଦୀ ପ୍ରଧାନ , ସତ୍ୟନାରାୟଣ ପାଢୀ , ମମତା ପାଢୀ , ସୁମିତ୍ରା ପଣ୍ଡା ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।


