ଶିଶୁ ସୁରକ୍ଷା ପାଇଁ ଜନସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଓ ୟୁନିସେଫର ମିଳିତ ଆନୁକୁଲ୍ୟରେ ଶିଶୁ ସୁରକ୍ଷା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ଉପରେ ପ୍ରତ୍ୟେକ ଗ୍ରାମରେ ତଥା ସ୍କୁଲ, କଲେଜ ତଥା ଗ୍ରାମ ମାନଙ୍କ ମଧ୍ୟରେ ପଥ ପ୍ରାନ୍ତ ନାଟକ ଗୁଡିକ ଆୟୋଜିତ କରାଯାଉଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପ।ଖି ୪୦ ଗୋଟି ଗ୍ରାମ ଓ ବିଭିନ୍ନ ଅନୁଷ୍ଠାନକୁ ଭ୍ରମଣ କରି ସଚେତନତା କରିବା ପାଇଁ ଧାର୍ଯ୍ୟ ହୋଇଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଅଧିକାଂଶ ସ୍ଥାନରେ ୧୮ବର୍ଷ ନ ପୁରୁଣୁ ଝିଅ ବାହାଘରକୁ ବନ୍ଦ କରିବା, ବର୍ତ୍ତମାନ ସରକାର ନିୟମାନୁଯାୟୀ ଝିଅ ହେଉ ବା ପୁଅକୁ ୨୧ବର୍ଷ ପୁରଣ ପରେ ବାହା କରାଇବା କଥାକୁ ନେଇ ସଚେତନତା କରାଯାଉଛି । ଏହି ବାର୍ତ୍ତା ନେଇ ସମସ୍ତଙ୍କ ଦ୍ୱାରରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି ବୋଲି ନେହେରୁ ଯୁବ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । ଯଦି ୨୧ ବର୍ଷ ନ ହେଉନୁ ବାହା ହେଲେ କେଉଁ କେଉଁ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ସେନେଇ ଆଲୋକପାତ କରାଯାଉଛି । ତତ୍ ସହିତ ୧୮ ବର୍ଷରୁ କମ ଶିଶୁମାନଙ୍କୁ ଯଦି କୌଣସି ଶ୍ରମଯନିତ କାର୍ଯ୍ୟରେ ନିଯୁକ୍ତ କରିଲେ କି ପ୍ରକାର ଦଣ୍ଡବିଧାନ ଅଛି ସେ ନେଇ ମଧ୍ୟ ସଚେତନତା କରାଯାଉଥିବାର ପ୍ରକାଶ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ମଇ ୧୫ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି ।


