ପୋଲିସ୍ ଆତଙ୍କ ବିରୋଧରେ ମେ ୪ରେ ରାଜ୍ୟର ବିରୋଧୀ ଦଳଙ୍କ ଢିଙ୍କିଆ ଗ୍ରସ୍ତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଧାନ-ପାନ-ମୀନର ଭୂଇଁ ଢିଙ୍କିଆ ଚାରିଦେଶରେ ଜୀବନ ଜୀବିକା ସୁରକ୍ଷା ପାଇଁ ଜିନ୍ଦଲ କମ୍ପାନୀ ବିରୋଧରେ ଚାଲିଥିବା ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ବଢିଚାଲିଛି ପୋଲିସ୍ ଦମନ ଓ ଅତ୍ୟାଚାର । ଦିନକୁ ଦିନ ପୋଲିସ୍‌ର ମିଛ ମୋକଦ୍ଦମା, ଗିରଫଦାରୀ ଓ ନିର୍ଯ୍ୟାତନା ବଢିଚାଲିଛି ଓ ଶିଶୁ, ମହିଳା, ବୃଦ୍ଧବୃଦ୍ଧା କେହି ସେଥିରୁ ବାଦ୍ ପଡୁନାହାଁନ୍ତି । ସ୍ୱଚ୍ଛ ଶାସନର ଡ଼ିଣ୍ଡିମ ପିଟି ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ଦାବି କରୁଥିବା ବିଜୁ ଜନତା ଦଳ ଶାସନରେ ସରକାର ଓ କର୍ପୋରେଟ ପ୍ରାୟୋଜିତ ପୋଲିସ୍ ହିଂସା ଦିନକୁ ଦିନ ବଢିଚାଲିଛି । ଏହାକୁ କଦାପି ସହ୍ୟ କରାଯିବ ନାହିଁ ବୋଲି ଘୋଷଣା କରି ରାଜ୍ୟର ପ୍ରମୁଖ ବିରୋଧୀ ଦଳମାନେ ଲୋହିଆ ଏକାଡ଼େମୀ ସଭାଗୃହରେ ଏକାଠି ହୋଇ ଆଗାମୀ ମେ ୪ ତାରିଖରେ ଢିଙ୍କିଆ ଗ୍ରସ୍ତ କରିବେ ବୋଲି ଘୋଷଣା କରିଛନ୍ତି । ପୋଲିସ୍ ନିର୍ଯ୍ୟାତନା, ଗିରଫଦାରୀ ଓ ଦମନର ଶିକାର ହୋଇଥିବା ଢିଙ୍କିଆ ଚାରିଦେଶର ଅଧିବାସୀମାନଙ୍କୁ ଭୋଟିବା ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଓ ରାଜ୍ୟବ୍ୟାପୀ ପ୍ରତିବାଦ ତଥା ସଂହତି ଦିବସ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଢିଙ୍କିଆ ଚାରିଦେଶ ସଂହତି ମଞ୍ଚ ପକ୍ଷରୁ ଆହୂତ ତଥା ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କଂଗ୍ରେସର ପଞ୍ଚାନନ କାନୁନଗୋ, ସିପିଆଇ ନେତା ଅଭୟ ସାହୁ, ସିପିଏମ୍‌ର ଜଗନ୍ନାଥ ମିଶ୍ର, ଆମ୍ ଆଦ୍‌ମୀ ପାର୍ଟିର ରଙ୍ଗାଚରଣ ପ୍ରଧାନ, ସିପିଆଇ (ଏମ୍‌-ଏଲ୍‌) ରେଡ଼ଷ୍ଟାରର ପ୍ରମିଳା ବେହେରା, ଫରୱାର୍ଡ଼ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇ (ଏମ୍‌.ଏଲ୍‌) ଲିବରେସନର ମହେନ୍ଦ୍ର ପରିଡ଼ା, ସିପିଆଇ (ଏମ୍‌.ଏଲ୍‌)ର ବାସୁଦେବ ଦାସ, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ରିପବ୍ଲିକାନ ପାର୍ଟିର ସୁଦର୍ଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଢିଙ୍କିଆ ଚାରିଦେଶ ସଂହତି ମଞ୍ଚ ପକ୍ଷରୁ ପ୍ରଫୁଲ୍ଲ ସାମନ୍ତରା ପୋଲିସ୍ ଆତଙ୍କରାଜ ସମ୍ପକରେ ସୂଚନା ଦେଇଥିବା ବେଳେ ସୁରେଶ ପାଣିଗ୍ରାହୀ, ନରେନ୍ଦ୍ର ମହାନ୍ତି, ପ୍ରଶାନ୍ତ ପାଇକରାୟ, ତପନ ମିଶ୍ର, ପ୍ରଫେସର ବିଜୟ ବହିଦାର, ସସ୍ମିତା ଜେନା, ତପନ ପାଢୀ, ସ୍ୱାତୀ ମିଶ୍ର, ଲେନିନ୍ କୁମାର ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ