ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ପୁଣି ଖୋଲିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଦିଗପହଣ୍ଡି ବ୍ଲକର ନୁଆଁ ଘନସିଂ, ଗୋବର ବାଲସା ଏବଂ ବିଜୟ ନଗର ଗତ, ପୁରୁଷୋତ୍ତମପୁର ବ୍ଲକର ଢେପ ଅନ୍ତରି ଗାଁ, ଶେରଗଡ ବ୍ଲକର କମଳାଦେଇପୁର ଆଦି ଗ୍ରାମରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଖୋଲିବା ଦାବିରେ ବୁଧବାର ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଆନ୍ଦୋଳନ କରାଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳଙ୍କ ବାସ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଉକ୍ତ ଗ୍ରାମ ର ଗ୍ରାମବାସିନ୍ଦା ଓ ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ୨୦୧୮ ମସିହାରେ ରାଜ୍ୟ ସରକାର ରାଜ୍ୟର ୧୪ ହଜାର ୩୭୯ ଓ ଗଞ୍ଜାମ ଜିଲ୍ଲାରେ ୪୩୩ ଟି ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଉକ୍ତ ଗ୍ରାମ ଗୁଡିକରେ ଥିବା ବିଦ୍ୟାଳୟ ଗୁଡିକରେ କମ ଛାତ୍ରଛାତ୍ରୀ ଥିବା ଆଳ ଦେଖାଇ ବନ୍ଦ କରିଦିଆଯିବା ଫଳରେ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ସ୍କୁଲ ଗୁଡିକ ମିଶ୍ରଣ ହୋଇଥିବା ସ୍କୁଲ ଗୁଡିକ ଗ୍ରାମରୁ ପ୍ରାୟତଃ ୧ କି.ମି ରୁ ଉର୍ଦ୍ଧ୍ୱ ଦୂରତାରେ ରହିଛି । ଯାହା ଦ୍ୱାରା ପିଲାମାନେ ଉକ୍ତ ରାସ୍ତା ଦେଇ ସ୍କୁଲ ଯିବା ଆସିବା କରିବାରେ ବହୁ ସମସ୍ୟା ହେବା ସହ ଯିବା ଆସିବା ସମ୍ଭବପର ହେଉନାହିଁ । ଏନେଇ ସେମାନେ ବାରମ୍ବାର ବିଇଓ ଓ ଡିଇଓଙ୍କୁ ଭେଟି ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ଆଜି ବାଧ୍ୟ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏଆଇଡିଏସଓ ର ରାଜ୍ୟ ସଭାପତି ସୋମନାଥ ବେହେରା, ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟଣ ସାହୁ, ପପୁନ ସାହୁ, କିସାନ ସାହୁ, କାମରାଜୁ ସାହୁ, ଶୁଭସ୍ମିତା ପାଣିଗ୍ରାହୀଙ୍କ ସମେତ ଆଦି ବହୁ ସଂଗଠନର କର୍ମକର୍ତ୍ତା ଏବଂ ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ