ତୃତୀୟ ଜିଲ୍ଲା ପରିଷଦ ତଥା ପରିଚାଳନା କମିଟି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ର ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ତୃତୀୟ ଜିଲ୍ଲା ପରିଷଦ ତଥା ପରିଚାଳନା କମିଟି ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କୃଷି, ପାନୀୟ ଜଳ, ଜଳ ସେଚନ, ଜୀବନ ଜିବିକା, ଉଦ୍ୟାନ ବିଭାଗ ଭଳି ବିଭିନ୍ନ ବିଭାଗର ଆଲୋଚନା ହୋଇଥିଲା । ବିଧାୟକ ମାନଙ୍କ ଠାରୁ ଆରମ୍ଭ କରି ବହୁ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ମାନେ ପାନୀୟ ଜଳ ଯୋଗାଣ ଓ ଜଳ ସେଚନ ବିଭାଗ ଉପରେ ଗୁରୁତ୍ୱ ଦେବା ନିମନ୍ତେ ଗୃହରେ ଆଲୋକପାତ କରିଥିଲେ । ଏହା ସହିତ ଜିଲ୍ଲାର ଉନ୍ନୟନ ଓ ବିକାଶ ନିମନ୍ତେ ସମସ୍ତ ଅଧିକାରୀ ମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଅଧିକାଂଶ ସଦସ୍ୟ ମାନେ କହିବା ସହ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଥିବା ୫ ଟି ରୁପାନ୍ତରିତ ହାଇସ୍କୁଲ, ମିଶନ ଶକ୍ତିର ସଫଳତା, କାୟାକଳ୍ପର ସର୍ବାଧିକ ପୁରସ୍କାର ଏବଂ ଏମନରେଗା ଓ ବର୍ଜବସ୍ତୁ ପରିଚାଳନାରେ ଜିଲ୍ଲା ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାର ଟିମ ୱାର୍କକୁ ପ୍ରଶଂସା କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ, ଡିଆରଡିଏ ପିଡି ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଏହି ସଫଳତାର ମଙ୍ଗ ଧରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଜନ ହିତକର ଯୋଜନା ସମେତ ବିଭିନ୍ନ ଯୋଜନା ଗୁଡିକ କିପରି ଜିଲ୍ଲାରେ ଆହୁରି ସଫଳ ରୁପାୟନ ଭାବେ କାର୍ଯ୍ୟକାରୀ ହୋଇପାରିବ ସେଥି ନିମନ୍ତେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୁର୍ଯ୍ୟମଣି ବୈଦ୍ୟଙ୍କ ସମେତ ବହୁ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ଓ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ମାନେ ଗୁରୁତ୍ୱାରୋପ କରିଥିଲେ । ହୁମ୍ମା ହାଟର ରକ୍ଷଣା ବେକ୍ଷଣ ସହିତ ସଠିକ୍ ପରିଚାଳନା ନିମନ୍ତେ ଏକ କମିଟି ଗଠନ କରିବା, ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ ବିଷୟରେ ବିଧାୟକ ଶ୍ରୀ ବେହେରା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେଠାରେ ୧୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଏମ୍. ଧନଞ୍ଜୟ ରେଡ୍ଡି ପ୍ରମୁଖ ସେମାନଙ୍କ ଜୋନ୍ ଅଂଚଳରେ ଉପୁଜିଥିବା ପାନୀୟ ଜଳ ସମସ୍ୟା ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଗୃହରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ପାଇଁ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀ ପଦବୀକୁ ତୁରନ୍ତ ପୂରଣ କରିବା ପାଇଁ ସଭ୍ୟ ଓ ସଭ୍ୟା ମାନେ ଗୃହରେ ଆଲୋଚନା କରିଥିଲେ । ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ଟି ଆଧାରରେ କାର୍ଯ୍ୟ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ର ସଫଳତା ସମ୍ପର୍କରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ ଜିଲ୍ଲାରେ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ୫ ଟି ରୁପାନ୍ତରିତ ହାଇସ୍କୁଲ, ମିଶନ ଶକ୍ତିର ସଫଳତା, କାୟାକଳ୍ପର ସର୍ବାଧିକ ପୁରସ୍କାର ମିଳିବା ଏବଂ ମନରେଗାରେ ସର୍ବାଧିକ ଶ୍ରମ ଦିବସ ସୃଷ୍ଟି କରିବା ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଜିଲ୍ଲାରେ ଏମନରେଗା ସହ ବିଭିନ୍ନ ପ୍ରକଳ୍ପ ଗୁଡିକ ଯେପରି କାର୍ଯ୍ୟକାରି କରାଯାଇଛି ଏବଂ ଆଗାମୀ ଦିନରେ ହେବାକୁ ଯାଉଛି ସେ ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ସୂଚନା ଦେବା ସହ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ସ୍ମାର୍ଟ ଅଙ୍ଗନବାଡି କେନ୍ଦ୍ର ଭାବେ ପରିଣତ କରିବା ପାଇଁ ସମସ୍ତଙ୍କ ସହ ଯୋଗ କାମନା କରିଥିଲେ । ସମସ୍ତ ବିଭାଗର ଅଧିକାରୀ ମାନେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା କାର୍ଯ୍ୟସୂଚୀ ଉପରେ ଗୃହରେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ପରେ ଜିଲ୍ଲାପାଳଙ୍କ ଦ୍ୱାରା ନବ ନିର୍ବାଚିତ ଅଧ୍ୟକ୍ଷ ଉପାଧ୍ୟକ୍ଷ ମାନଙ୍କୁ ଶପଥ ପାଠ କରାଯାଇଥିଲା । ଜିଲ୍ଲାପାଳ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେବା ସହ ନବ ନିର୍ବାଚିତ ସମସ୍ତ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପଷ୍ଠଳୂ ନିର୍ଦ୍ଦେଶକ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଗୋପାଳପୁର ବିଧାୟକ, ସାନଖେମୁଣ୍ଡି ବିଧାୟକ, ଦିଗପହଣ୍ଡି ବିଧାୟକ ତଥା ବାଚଷ୍ପତି ଅନୁପସ୍ଥିତ ଥିବା ବେଳେ ସମସ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଧ୍ୟକ୍ଷା ମାନେ ଉପସ୍ଥିତ ଥିଲେ ।


