ମିଳୁନି ଜାଲ୍ ଶିକ୍ଷକଙ୍କ ତାଲିକା : ଗୋଷ୍ଠୀ ଶିକ୍ଷା ଅଧିକାରୀ ଜାଣି ଶୁଣି ଘଣ୍ଟ ଘୋଡାଉଥିବା ଅଭିଯୋଗ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ସାରା ଗଞ୍ଜାମ ଜିଲ୍ଲାରେ ବଢ଼ି ଚାଲିଛି ଜାଲ୍ ଶିକ୍ଷକଙ୍କ ତାଲିକା I ଏହି ତାଲିକା ବଢ଼ି ବଢ଼ି 347 ରେ ପହଞ୍ଚିଲାଣି I ଜିଲ୍ଲାର ବିଭିନ୍ନ ବ୍ଳକ୍ ରେ ଜାଲ୍ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଶହ ଶହ ଶିକ୍ଷକ ମୋଟା ଅଙ୍କର ଦରମା ହାତେଇବାରେ ଲାଗିଛନ୍ତି ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ବିଭିନ୍ନ ବ୍ଳକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ ତତ୍ପର ହେବା ସହ 63 ଜଣ ଜାଲ୍ ଶିକ୍ଷକଙ୍କ ନାମରେ ଏତାଲା ଦେଇଥିବା ସୂଚନା ମିଳିଛି I କିନ୍ତୁ ବିଡମ୍ବନାର ବିଷୟ ଯେ ଜିଲ୍ଲାର ଅନ୍ୟାନ୍ୟ ବ୍ଳକ୍ ଗୁଡ଼ିକରେ କିଛି ଜାଲ୍ ଶିକ୍ଷକଙ୍କ ସର୍ବସାଧାରଣ ସମ୍ମୁଖକୁ ଆସିଥିଲେ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ରେ ଜଣେ ମଧ୍ୟ ଜାଲ୍ ଶିକ୍ଷକଙ୍କ ତଥ୍ୟ ନମିଳିବା ସମସ୍ତଙ୍କୁ ଚକିତ କରିବା ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ସନ୍ଦେହ ଘେରକୁ ଆସୁଛି I ଅଭିଯୋଗ ହେଉଛି ବ୍ଳକ୍ ରେ ବହୁ ଜାଲ୍ ଶିକ୍ଷକ ଥିଲେ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଣଙ୍କ ବିଭିନ୍ନ ମଧ୍ୟସ୍ଥିଙ୍କ ମାଧ୍ୟମରେ ମୋଟା ଅଙ୍କର ଚାନ୍ଦା ନେଇ ଜାଲ୍ ଶିକ୍ଷକ ମାନଙ୍କୁ ଘଣ୍ଟ ଘୋଡ଼ାଇବା ସହିତ ସେମାନଙ୍କୁ ଅଭୟ ବାଣୀ ପ୍ରଦାନ କରୁଛନ୍ତି I ଏପରିକି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଣଙ୍କ ଜାଲ୍ ଶିକ୍ଷକଙ୍କ ସହ ମିଶି ଭୋଜିଭାତ ଏବଂ ମଦ୍ୟପାନର ଆସର ଜମାଉଥିବା ନେଇ କିଛି ଶିକ୍ଷକ ଅଭିଯୋଗ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ 2019 ମସିହା ଅକ୍ଟୋବର ମାସରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ଶିକ୍ଷକ ମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ୍ କରି ନକଲି ଶିକ୍ଷକକୁ ଠାବ କରିବା ପାଇଁ ବେଲଗୁଣ୍ଠା ବ୍ଳକ୍ ରେ ଏହି ଯାଞ୍ଚ୍ ନାମକୁ ମାତ୍ର ଲୋକ ଦେଖାଣିଆ କରାଯାଇଥିଲା I 2020 ମସିହାରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଳକ୍ ଏବଂ ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍ ପକ୍ଷରୁ ଚାରୋଟି ପର୍ଯ୍ୟାୟରେ ବିଭିନ୍ନ ବ୍ଳକ୍ ରେ 161 ଜଣ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ବିରୁଦ୍ଧରେ ଜିଲ୍ଳା ଶିକ୍ଷା ବିଭାଗରେ ଅଭିଯୋଗ ଦାଖଲ କରାଯାଇଥିଲା I କିନ୍ତୁ ଏହି ତାଲିକାରେ ବେଲଗୁଣ୍ଠା ବ୍ଳକ୍ ରୁ କୌଣସୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମ ନଥିଲା I ସେହିପରି ଗତ ଡିସେମ୍ବର୍ ମାସରେ ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତି ଗଞ୍ଜାମ ଜିଲ୍ଳାପାଳଙ୍କ ନିକଟରେ ପିଟିସନ୍ ଦାଖଲ କରି ଆହୁରି 116 ଜଣ ଜାଲ୍ ଶିକ୍ଷକ ଚାକିରୀ କରୁ୍ଥିବା ନେଇ ପ୍ରମାଣ ସହ ଅଭିଯୋଗ କରିଥିଲେ I କିନ୍ତୁ ଏହି ତାଲିକାରେ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ରୁ ଜଣେ ମଧ୍ୟ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାଆଁ ନରହିବା ସମସ୍ତଙ୍କୁ ଚକିତ କରିଦେଇଛି I ପ୍ରକୃତରେ ବେଲଗୁଣ୍ଠା ବ୍ଳକ୍ ରେ ଜଣେ ମଧ୍ୟ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ନାହାଁନ୍ତି ନା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟ ଏହାକୁ ଜାଣିଶୁଣି ଚାପି ଦେଉଛନ୍ତି ସେ ନେଇ ସମସ୍ତେ ସନ୍ଦେହ ଘେରରେ I ଶୁଣା ଯାଉଛି ଏହି ବ୍ଳକ୍ ରେ ଜିଲ୍ଳା ଏବଂ ଜିଲ୍ଳା ବାହାରୁ ପ୍ରାୟ ଡଜନେରୁ ଅଧିକ ଶିକ୍ଷକ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରୁଥିଲେ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟ ଅର୍ଥ ଏବଂ ମଦ ଲାଳସାରେ ସେମାନଙ୍କର ସାର୍ଟିଫିକେଟ ଯାଞ୍ଚ୍ କରିବା ପରିବର୍ତ୍ତେ ସେମାନଙ୍କୁ ଘଣ୍ଟ ଘୋଡ଼ାଉଥିବା କିଛି ଅବସରପ୍ରାପ୍ତ ଶିକ୍ଷକ ଏବଂ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅନ୍ୟତ୍ର ବଦଳି ହୋଇଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି I ତେଣୁ ଏନେଇ ଜିଲ୍ଳା ଶିକ୍ଷା ବିଭାଗ ତରଫରୁ ନିରପେକ୍ଷ ଯାଞ୍ଚ୍ କରାଗଲେ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସେମାନଙ୍କୁ ସହଯୋଗ କରୁଥିବା ଦୁର୍ନୀତିରେ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମଧୁ ଚନ୍ଦ୍ରିକାର ପର୍ଦ୍ଦାଫାସ୍ ହୋଇପାରନ୍ତା I


