ନିର୍ମାଣଧିନ ବିଦ୍ୟାଳୟ ଲାଇବ୍ରେରୀ ଗୃହରେ ଫାଟ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାତ ତାରଣା’ ନଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମାଣଧିନ ଲାଇବ୍ରେରୀ ଗୃହ ନର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବାରୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିବାବେଳେ ୫’ଟି ବିଜ୍ଞାନ ଗୃହ ରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଓମବାଡ ପ୍ରକଳ୍ପରେ ୧୦’ ଲକ୍ଷ ଟଙ୍କାର ଅଟକଳ ମୂଲ୍ୟରେ ନିର୍ମାଣଧିନ ଲାଇବ୍ରେରୀ ଗୃହର ଛାତ ଢଳେଇ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଲିଣ୍ଟାଲ ଲେବଲରେ ବିଲଡିଙ୍ଗର ବିମ୍ ଧସି ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଗୃହ ଦୂର୍ବଳ ହୋଇ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ନିମ୍ନ ମାନର କର୍ଯ୍ୟ ଯୋଗୁଁ ବିମ୍ ଏବଂ ଛାତରୁ କାନ୍ତ ଛାଡି ଦେଇ ଫାଙ୍କ ସୃଷ୍ଟି ହୋଇଛି। ଛାତ ଢଳେଇ ମଧ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଉକ୍ତ ଲାଇବ୍ରେରୀ (ପାଠାଗାର) ବିଲଡିଙ୍ଗ ଗୃହ ଅତି ଦୂର୍ବଳ ଅବସ୍ଥାରେ ରହିଛି। ବର୍ତ୍ତମାନ ଏହି ଗୃହର ସବଳତା (strongness) ଏବଂ ଦୀର୍ଘାୟୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଠିକାଦାର’ଙ୍କ ଜରିଆରେ ନିର୍ମାଣ ହେଉଥିବା ପ୍ରକଳ୍ପ ଗୁଡିକର ନିର୍ମାଣ ପାଇଁ ସ୍ବତନ୍ତ୍ର ମାନଦଣ୍ଡ ପାଳନ ନେଇଁ ନିର୍ଦ୍ଧେଶାବଳୀ ରହିଥିବାବେଳେ କାର୍ଯ୍ୟର ମାନ ପରଖିବା ପାଇଁ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ଦାୟିତ୍ବରେ ରହିଛନ୍ତି। ତେବେ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ’ଙ୍କ ଦାୟିତ୍ବ ହୀନତା ଯୋଗୁଁ ପ୍ରକଳ୍ପ ଗୁଡିକ ବ୍ୟବହାର ଯୋଗ୍ୟ ହୋଇନପାରି କୋଟିକୋଟି ଟଙ୍କା ବରବାଦ ହେଉଥିବାବେଳେ ଯନ୍ତ୍ରୀ ମାନେ ପିସି କାରବାରରେ ଲିପ୍ତ ରହି ପ୍ରକଳ୍ପ ପ୍ରତି ଦାୟିତ୍ବ ହୀନତା ପ୍ରଦର୍ଶନ କରୁଥିବା ରୁ ଏ ପରିସ୍ଥିତି ସୃଷ୍ଟି ହେଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଜଗତ କିଶୋର ନାୟକ ଏବଂ ସହକାରୀ ଯନ୍ତ୍ରୀ ଭରତ ଚନ୍ଦ୍ର ବେହେରା’ଙ୍କୁ ଯୋଗାଯୋଗ କରାଯିବାରୁ ପୋଖରୀ ପଟକୁ ମାଟି ଦୁର୍ବଳ ଥିବାରୁ ନିର୍ମାଣଧିନ ଗୃହର ଗୋଟିଏ ପଟ ଅଂଶ ଦବି ଯାଇଥିବାରୁ ଫାଟ ସୃଷ୍ଟି ହୋଇଥିବା ପ୍ରକାଶ କରିଥିଲେ ଏବଂ ମରାମତି କରାଯିବା ନେଇ ସମ୍ପୃକ୍ତ ଠିକାଦାର’ଙ୍କୁ ନିର୍ଦ୍ଧେଶ ଦେଇଥିବା ସୂଚନା ଦେଇଥିଲେ। ତେବେ ନିମ୍ନ ମାନର ଲାଇବ୍ରେରୀ ଗୃହ ନିର୍ମାଣର ତଦନ୍ତ କରାଯିବା ଦାବିରେ ବିଦ୍ୟାଳୟ ସମିତି ଏବଂ ଅଭିଭାବକ ମାନଙ୍କ ପକ୍ଷରୁ ପ୍ରକଳ୍ପ ନିର୍ଦ୍ଧେଶକ ଡିଆରଡିଏ ବାରିପଦା, ଭାରପ୍ରାପ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବହଳଦା, ଅଭିଭାବକ ମହାସଂଘ ଭୂବନେଶ୍ବର ଏବଂ ଜିଲ୍ଲାପାଳ ମୟୁରଭଞ୍ଜ’ଙ୍କୁ ଅଭିଯୋଗ ପତ୍ର ଜରିଆରେ ନିର୍ମାଣ କାର୍ଯ୍ୟର ତଦନ୍ତ କରାଯିବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେଇ ଦାବି ଜଣାଇଛନ୍ତି ।