ରବିଧାନ ସଂଗ୍ରହ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ) :-ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାରେ ରବିଧାନ ସଂଗ୍ରହ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଦିଲ୍ଲିପ କୁମାର ମହାପାତ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଜାନକୀ ଭୂଷଣ ହାବଡାସିଂ, ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକ ଶ୍ରୀ ଭୀମସେନ ସାହୁ, ସହକାରୀ ନିବନ୍ଧକ ଶ୍ରୀ ସ୍ୱରୂପ କର ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ରବି ଋତୁ ନିମନ୍ତେ ଜିଲ୍ଲାରେ ୧୫୪୭୮ ଜଣ ପଞ୍ଜିକୃତ ଚାଷୀ ସେମାନଙ୍କ ଧାନ ବିକ୍ରୟ କରିବେ । ଚଳିତମାସ ୧୭ ତାରିଖରୁ ଆସନ୍ତା ମାସ ୩୦ ତାରିଖ ପର୍ଯ୍ୟନ୍ତ ମଣ୍ତି ମାଧ୍ୟମରେ ଧାନ କିଣା ଯିବ। ଏଥିନିମନ୍ତେ ଅସ୍ତରଙ୍ଗ ବ୍ଲକ ବ୍ୟତୀତ ଜିଲ୍ଲାର ୧୦ଟି ବ୍ଲକର ୧୦୦ଟି ଧାନ କ୍ରୟ କେନ୍ଦ୍ର ତଥା ମଣ୍ତିରେ ୧୯ ଜଣ ମିଲରଙ୍କ ମାଧ୍ୟମରେ ଧାନ କିଣାଯିବ । ଗତବର୍ଷ ୧୨୩୫୭ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ୩୪୬୫୮୧ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ଆପାତତଃ ୪ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବା ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ଆଗୁଆ ମୌସୁମୀକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସ୍ଥିରିକୃତ ସମସ୍ତ ମଣ୍ତିକୁ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ପର୍ଯ୍ୟାପ୍ତ ପଲିଥିନ, ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ପ୍ରସ୍ତୁତ ରଖିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି । ଚଳିତବର୍ଷ ରବିଧାନ ସଂଗ୍ରହ ବ୍ୟବସ୍ଥା ଯେପରି ସଠିକ ଭାବେ ସମ୍ପାଦିତ ହେବ ଓ ଜିଲ୍ଲାର ଚାଷୀମାନେ ବିନା ଦ୍ୱିଧାରେ ସ୍ଥିରିକୃତ ମଣ୍ତିରେ ଧାନ ବିକ୍ରୟ କରିପାରିବେ ଏଥିପାଇଁ ଯୋଗାଣ ବିଭାଗ ଓ ସମବାୟ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷାକରିବା ଉପରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଗୁରୁତ୍ବାରୋପ କରିଥିଲେ । ଧାନ ସଂଗ୍ରହ ବ୍ୟବସ୍ଥାର ଯାଞ୍ଚ ନିମନ୍ତେ ପ୍ରତି ସପ୍ତାହରେ ବୈଠକ କରି ସଂପୃକ୍ତ ଅଧିକାରୀ, ମିଲର ଓ ଚାଷୀ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ନିମନ୍ତେ ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଦିଲ୍ଲିପ କୁମାର ମହାପାତ୍ରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଧାନ କ୍ରୟ କେନ୍ଦ୍ର ଗୁଡିକରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଏବଂ ସଂପୃକ୍ତ ଚାଷୀଙ୍କ ଆକାଉଣ୍ଟକୁ ଦୁଇ ଦିନ ମଧ୍ୟରେ ମୂଲ୍ୟ ରାଶି ପ୍ରଦାନ କରିବା ବ୍ୟବସ୍ଥା କରିବା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଛନ୍ତି । ଧାନ ବିକ୍ରୟ ନିମନ୍ତେ ସଚେତନତା ସୃଷ୍ଟି ଏବଂ ବୈଧ ଚାଷୀ ମାନଙ୍କ ଟୋକନ ଯେପରି ନିଷ୍କ୍ରିୟ ନହୁଏ ଏଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ବୈଠକରେ ଗୁରୁତ୍ୱ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ