ପରିସ୍ରାଗାର ସଫା କରିବାକୁ ମନା କରିବାରୁ ଛାତ୍ରକୁ ଶିକ୍ଷୟତ୍ରୀଙ୍କ ମାଡ
ନାଉଗାଁ,:ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ବଛାଳୋ ଠାରେ ଥିବା ବଛାଳୋ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ୫ ଶ୍ରେଣୀ ଛାତ୍ରକୁ ଶିକ୍ଷୟତ୍ରୀ ବାରମ୍ବାର ପରିସ୍ରାଗାର ସଫା କରିବାକୁ କହିଥିଲେ । ଛାତ୍ର ଜଣକ ସଫା କରିବାକୁ ମନା କରିବାରୁ ପ୍ରଧାନ ଶିକ୍ଷୟତ୍ରୀ ତାକୁ ମାଡ ମାରିଥିବାକୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବରରେ ଆଜି ଅଭିଯୋଗ କରାଯାଇଛି । ସୂଚନା ଅନୁସାରେ ବଛାଳୋ ଗ୍ରାମର ହେମନ୍ତ ମହାପାତ୍ରଙ୍କ ପୁଅ ପ୍ରୟାସ ମହାପାତ୍ର ଉକ୍ତ ସ୍କୁଲରେ ୫ମ ଶ୍ରେଣୀରେ ପଢେ । ସେମାନଙ୍କ ଅଭିଯୋଗ ଅନୁସାରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତାକୁ ସ୍କୁଲର ପରିସ୍ରାଗାର ୧୦/୧୨ଥର ସଫା କରାଇଛନ୍ତି । ପରେ ପୁଣି ସଫା କରିବାକୁ ପ୍ରୟାସ କହିବାରୁ ସେ ମନା କରିଦେଇଥିଲା । ଏଥିରେ ଶିକ୍ଷୟତ୍ରୀ ରାଗିଯାଇ ତାକୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ ।ପ୍ରୟାସ ଘରକୁ ଆସି ବାପାକୁ ଏବିଷୟରେ ଜଣାଇବାରୁ ସେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ନଭେମ୍ବର ୨ତାରିଖରେ ଏବିଷୟରେ ଜଣାଇଥିଲେ । ବିଇଓ ଗତ ୪ତାରିଖରେ ଏହାର ତଦନ୍ତ କରିବାକୁ ଏବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବିଇଓ ସ୍କୁଲକୁ ଯାଇ ଘଟଣା ସଂର୍ପକରେ ପ୍ରୟାସ ଓ ଅନ୍ୟ ପିଲାଙ୍କ ଠାରୁ ପଚାରି ବୁଝିଥିଲେ । ହେଲେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ପ୍ରୟାସଙ୍କ ବାପା ଏ ଘଟଣା ସଂର୍ପକରେ ଚାଇଲ୍ଡି ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ । ସେମାନେ ଗତ ୬ତାରିଖରେ ଆସି ତଦନ୍ତ କରି ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ପରେ ପୁଣି ଗତ ଶୁ୍କ୍ରବାର ସେମାନେ ଜିଲ୍ଲା ଶିକ୍ଷାଧିକାରୀ ନିକଟରେ ଏ ସଂର୍ପକରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଟରେ ଅଭିଯୋଗ ପତ୍ର ସଂଖ୍ୟା ୪୦୭୯ ତା ୧୮/୧୧/୨୦୧୯ରେ ପୂର୍ଣ୍ଣବାର ଅଭିଯୋଗ କରିଥିବା ଜଣାଯାଇଛି ।ଏ ସଂର୍ପକରେ ବ୍ଲକ ଶିକ୍ଷାଧିକାରୀ ମାଗୁଣୀ ଚରଣ ମହାନ୍ତିଙ୍କୁ ପଚାରିବାରୁ ଉକ୍ତ ଶିକ୍ଷୟତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆଦେଶ ବାହାରିଛି ।ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁମୋଦନ ପରେ ଉକ୍ତ ଆଦେଶନାମା ଶିକ୍ଷୟତ୍ରୀଙ୍କୁ ନିକଟକୁ ପଠାଇ ଦିଆଯିବ ବୋଲି କହିଥିଲେ ।ଅନ୍ୟପଟରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ତଦନ୍ତରେ ସତ୍ୟାସତ୍ୟ ଜଣାଯାଇଥିଲେ ମଧ୍ୟ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ଘଟିଲା । ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏ ସଂର୍ପକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


