ଜୁନ୍ ୫ରେ ପ୍ରେରଣା ପକ୍ଷରୁ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆସନ୍ତା ଜୁନ୍ ମାସ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ, ଜଗା ପାଇଁ ଗଛଟିଏ ଅଭିଯାନର ଉଦ୍ଘାଟନ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଭୁବନେଶ୍ୱରସ୍ଥିତ ଜୟଦେବ ଭବନ (ସୂଚନା ଭବନ) ପରିସରରେ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ସମସ୍ତ ବୃକ୍ଷପ୍ରେମୀ, ପ୍ରକୃତିମିତ୍ର, ପ୍ରକୃତିବନ୍ଧୁ, ପ୍ରେରଣାର ସଦସ୍ୟ, ଗ୍ରୀନ୍ ଆର୍ମି, ଜାତୀୟ ସେବା ଯୋଜନା, ସ୍କାଉଟ୍, ଗାଇଡ୍, ଏନ୍ସିସି, ରେଡ଼କ୍ରସ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ବିଭିନ୍ନ ସ୍କୁଲ୍, କଲେଜର ଛାତ୍ରଛାତ୍ରୀମାନେ ଯୋଗଦାନ କରିବା ପାଇଁ ପ୍ରେରଣାର ସଭାପତି ତଥା ବିଶିଷ୍ଟ ପରିବେଶବିତ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ଇସ୍ତାହାର ରେ ଅନୁରୋଧ କରିଛନ୍ତି । ଏହି ଉତ୍ସବରେ ଯୋଗଦାନ କରିବାକୁ ଇଚ୍ଛୁକ ବ୍ୟକ୍ତି ନିଜ ସମ୍ପର୍କରେ କିଛି ଲେଖା ଦେବା ପାଇଁ ଚାହିଁଲେ ହୋଟେଲ ଚନ୍ଦନ, ବରମୁଣ୍ଡା ହାଉସିଂ ବୋର୍ଡ଼, ଭୁବନେଶ୍ୱର ଠିକଣାରେ ପଠାଇ ପାରିବେ କିମ୍ବା ଫୋନ୍ ନମ୍ବର ୬୩୭୧୪୬୮୭୭୦ରେ ଯୋଗାଯୋଗ କରିପାରିବେ । ନଚେତ ସେହିଦିନ ସକାଳ ୯ଟାରେ ଜୟଦେବ ଭବନରେ ଉଦ୍ଦିଷ୍ଟ ସ୍ଥାନରେ ନାମ ପଞ୍ଜିକରଣ କରିପାରିବେ । ଚଳିତବର୍ଷ “ଜଗା ପାଇଁ ଗଛଟିଏ ଅଭିଯାନ” ଆଧାରିତ ବୃକ୍ଷରୋପଣ କରାଯିବ । ଅର୍ଥାତ୍ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରାଙ୍କ ବିଗ୍ରହ ପାଇଁ ନିମ୍ବ ଗଛ ଓ ରଥ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଗଛ ଯଥା ଫାସି, ଧଉରା, ଅସନ, ଶିମିଳି, କଂସ, ପାଳଧୁଆ, ମହାଲିମ୍ବ, ଗମ୍ଭାରୀ, ମଈ, କଦମ୍ବ, କାଳଚୁଆ, ଦେବଦାରୁ, ଶାଳ ଆଦି ଗଛ ଲଗାଇବାକୁ ଡଃ ଶ୍ରୀଚନ୍ଦନ ଅନୁରୋଧ କରିଛନ୍ତି ।