ସାହିତ୍ୟିକମାନେ ସମାଜକୁ ଦିଗ୍‌ଦର୍ଶନ ଦେବା ଉଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସମାଜରେ ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଠି ସାହିତ୍ୟିକମାନେ ଲେଖନୀ ଚାଳନା କରିପାରିବେ ନାହିଁ । ସୁତରାଂ ସେମାନେ ସବୁକ୍ଷେତ୍ରରେ ଲେଖନୀ ଚାଳନା କରି ସମାଜକୁ ଦିଗ୍‌ଦର୍ଶନ ଦେବା ଉଚିତ୍ । ଓଡ଼ିଶା ପରିପ୍ରେକ୍ଷୀରେ ଓଡ଼ିଆ ଜାତିର ଗୌରବମୟ ଗାଥାକୁ ଲେଖନୀ ମାଧ୍ୟମରେ ଉଜ୍ଜିବୀତ କରି ଓଡ଼ିଆ ଅସ୍ମିତାକୁ ଲେଖକମାନେ ପ୍ରମୂର୍ତ୍ତ କରିବା ହେଉଛି ସମୟର ଆହ୍ୱାନ । ଅଗ୍ରଣୀ ସାହିତ୍ୟ ପତ୍ରିକା ‘କାହାଣୀ’ର ବିଂଶବର୍ଷ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ଧ୍ର ପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହା ପ୍ରକାଶ କରିଛନ୍ତି । ଜୟଦେବ ଭବନରେ ‘କାହାଣୀ’ର ମୁଖ୍ୟ ସମ୍ପାଦକ ରବି ନାରାୟଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ।ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବିଜ୍ଞାପନଦାତା ନୁହଁନ୍ତି ପାଠକମାନେ ହିଁ ପତ୍ରପତ୍ରିକାର ଅସଲ ପୃଷ୍ଠପୋଷକ । ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ କଥାକାର ଓ ଔପନ୍ୟାସିକ ଡଃ ରାମଚନ୍ଦ୍ର ବେହେରା କହିଲେ ଯେ, ସର୍ଜନଶୀଳତା ବିନା ଜୀବନ ଅର୍ଥହୀନ । ଏହି ଅବସରରେ ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ, ବିଶିଷ୍ଟ କଥାକାର ତଥା ଶିଶୁ ସାହିତ୍ୟିକ ଦାଶ ବେନହୁର, ବିଶିଷ୍ଟ କଥାକାର ତଥା ‘କଥା’ର ସମ୍ପାଦକ ଡ. ଗୌରହରି ଦାସ, ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତି, ସୁଲେଖକ ଓ ସାରଳା ସାହିତ୍ୟ ସଂସଦର ସମ୍ପାଦକ ଇଂ ପ୍ରଭାକର ସ୍ୱାଇଁ ଏବଂ ବିଶିଷ୍ଟ ଚିତ୍ରକର ବଳଦେବ ମହାରଥାଙ୍କୁ ‘କାହାଣୀ ସମ୍ବର୍ଦ୍ଧନା’ ପ୍ରଦାନ କରଯାଇଥିବା ବେଳେ ବିଶିଷ୍ଟ ଗାଳ୍ପିକ କ୍ଷୀରୋଦ ଦାସ, ବିଶିଷ୍ଟ କଥାଶିଳ୍ପୀ ତଥା ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତଙ୍କୁ ‘କାହାଣୀ ଗଳ୍ପ ପୁରସ୍କାର’ ଏବଂ ବିଶିଷ୍ଟ କବି ଶ୍ରୀଦେବ ଓ ଚିତ୍ରଶିଳ୍ପୀ ଅତୁଲ ବଳଙ୍କୁ ଯଥାକ୍ରମେ ‘କାହାଣୀ କବିତା ପୁରସ୍କାର’ ଓ ‘କାହାଣୀ ପ୍ରଚ୍ଛଦ ପୁରସ୍କାର’ ପ୍ରଦାନ କରାଯାଇଥିଲା । ଏହି ଅବସରରେ ‘କାହାଣୀ’ର ବର୍ଷା ସଂଖ୍ୟା ଏବଂ କବି ଅଭୟ ନାୟକଙ୍କ ନୂତନ କବିତା ପୁସ୍ତକ ‘ଆସ କଥା ହେବା’ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ କବି ଅଭୟ ନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ