କାଞ୍ଚନ ଫାଉଣ୍ଡେସନ ତରଫରୁ ତୃତୀୟ କାଞ୍ଚନ କର୍ପୋରେଟ ଆୱାର୍ଡ ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କାଞ୍ଚନ ଫାଉଣ୍ଡେସନ ତରଫରୁ ତୃତୟ କାଞ୍ଚନ କର୍ପୋରେଟ ଆୱାର୍ଡ଼ ହୋଟେଲ ଲେମନ ଟ୍ରି ପ୍ରିମିୟର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ତାପସ ରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଇ ଆଣ୍ଡ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲି, ନାଲ୍କୋର ଏଚ୍ଆର ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର, କାଞ୍ଚନ ଫାଉଣ୍ଡେସନର ଉପଦେଷ୍ଟା ତଥା ସମାଜସେବୀ ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ୧୭ ଜଣ କର୍ପୋରେଟ କମ୍ପାନୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କାଞ୍ଚନ ଫାଉଣ୍ଡେସନର ଏତାଦୃଶ କାର୍ଯ୍ୟକ୍ରମକୁ ଅତିଥିମାନେ ଭୟସୀ ପ୍ରଶଂସା କରିଥିଲେ । ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, କାଞ୍ଚନ ଫାଉଣ୍ଡେସନ ଯେଉଁ ଅଭିନବ ଉପାୟରେ କର୍ପୋରେଟ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି, ତାହାର ପ୍ରଭାବରେ ବହୁ କର୍ପୋରେଟ ସଂସ୍ଥା ଓ ଯୁବଗୋଷ୍ଠୀ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ ଓ ସମାଜସେବାରେ ନିଜକୁ ନିୟୋଜିତ କରିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ସଭାପତି ରଞ୍ଜନ କୁମାର ମହାପାତ୍ର, ଉପସଭାପତି ବିଶ୍ୱଜିତ ସାମନ୍ତରାୟ, ଜିତୁ ପ୍ରସାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଶୁଭଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।