ଇଂ. ଡ. ହୃଷିକେଶ ସାହୁଙ୍କ ପକ୍ଷରୁ ‘ଅବସରଦିନ ଖୁସିର ଦିନ’ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗରେ କାର୍ଯ୍ୟକରି ମଇମାସ ୩୧ ତାରିଖ ଦିନ ଚାକିରିରୁ ଅବସର ଗ୍ରହଣ କରିଥିବା ତଥା ବିଶିଷ୍ଟ ସମାଜସେବୀ ଇଂ. ଡକ୍ଟର ହୃଷିକେଶ ସାହୁଙ୍କ ପକ୍ଷରୁ ଆୟୋଜିତ ‘ଅବସରଦିନ ଖୁସିର ଦିନ’ର ଏକ ଉତ୍ସବ ଓଡ଼େଶା ଭବନରେ ମଙ୍ଗଳବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି ସମାଜସେବୀ ତଥା ସାହିତ୍ୟିକ ଇଂ. ସୁରେନ୍ଦ୍ରନାଥ ଦାସ, ଇଂ. ଗୌରାଙ୍ଗ ଚନ୍ଦ୍ର ସାହୁ, ଇଂ. ସୁଗତ ବୋଷ, ଆଇନଜୀବୀ ଶଶଧର ରଣଜିତ୍, ରୋଟାରିୟାନ୍ ଯଶୋଦା ନନ୍ଦନ ଆସ୍, ଇଂ. ଅଶୋକ ପଣ୍ଡା, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ରବିନ୍ଦ୍ର ସାହୁ ଓ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଇଂ. ହୃଷିକେଶ ସାହୁଙ୍କ ସରକାରୀ ଚାକିରି କାଳରେ ଜଣେ ଦକ୍ଷ ଓ ସଚ୍ଚୋଟ ଇଂଜିନିୟର ଭାବେ ନିଜର ପରାକାଷ୍ଠା ପ୍ରଦର୍ଶନ କରିବା ସହ ଇଂଜିନିୟରିଂ ଆସୋସିଏସନ୍ ସମେତ ବିଭିନ୍ନ ସାମାଜିକ ସଂଗଠନରେ ତାଙ୍କର ଉତ୍ସର୍ଗୀକୃତ ଯୋଗଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଚାକିରିରୁ ଅବସର ନେବାପରେ ସେ ନିଜକୁ ଅଧିକ ଜନସେବା କାର୍ଯ୍ୟରେ ନିୟୋଜିତ କରିପାରିବେ ବୋଲି ବକ୍ତାମାନେ ଆଶା ପ୍ରକାଶ କରିଥିଲେ । ଅବସର ପରେ ସେ ସପରିବାର ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବା ପାଇଁ ବକ୍ତାମାନେ ଶୁଭେଚ୍ଛା ଜଣାଇଥିଲେ । ଇଂ. ଶ୍ରୀ ସାହୁ ଚାକିରି ସମୟରେ ଓ ସାମାଜିକ କାର୍ଯ୍ୟ ସୁସମ୍ପାଦନ କରିବାରେ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଇଂ. ସାହୁଙ୍କୁ ତାଙ୍କର ସହକର୍ମୀ ଓ ବନ୍ଧୁମାନେ ପୁଷ୍ପଗୁଚ୍ଛ ଓ ବିଭିନ୍ନ ଉପହାର ଦେଇଥିଲେ । ଇଂ. ଶଶାଙ୍କ ଶେଖର ଦତ୍ତ ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇ ଇଂ. ଶ୍ରୀ ସାହୁଙ୍କର ଶୁଭକାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।