ଭୋଟିଂ ମାଧ୍ୟମରେ ଅଙ୍ଗନବାଡି ହେଲପର ନିଯୁକ୍ତି ଦାବିରେ ଅଙ୍ଗନବାଡିରେ ତାଲା ପକାଇଲେ ମହିଳା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବାରିଗାଁ ଅଙ୍ଗନବାଡି କେନ୍ଦ୍ରର ସହାୟକ ଚୟନ ଭୋଟିଂ ମାଧ୍ୟମରେ କରାଯିବା ଦାବିରେ ଆଜି ପଚାଶରୁ ଉର୍ଦ୍ଦ ମହିଳା ଅଙ୍ଗନବାଡି କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ଏହି ମହିଳାମାନେ ମଧ୍ୟ ପୁର୍ବରୁ ଗତ ୨୪ତାରିଖ ଦିନ ସିଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରି ଏହାର ପ୍ରତିବାଦ କରିଥିଲେ । କିନ୍ତୁ ସେମାନଙ୍କ ଦାବିକୁ ପ୍ରଶାସନ ଗୁରୁତ୍ୱ ନଦେବାରୁ ସେମାନେ ଅଙ୍ଗନବାଡିରେ ତାଲା ପମକାଇଛନ୍ତି ବୋଲି କହିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ବାରିଗାଁ ଅଙ୍ଗନବାଡି କେନ୍ଦ୍ରର ସହାୟକ ପଦବୀ ପାଇଁ ପୁର୍ବରୁ ଏକ ଚୟନ ପ୍ରକ୍ରୀୟା ବାରିଗାଁ ସ୍କୁଲ ପରିସରରେ ହେବାକୁ ସ୍ଥିର ହୋଇ ନୋଟିସ କରାଯାଇଥିଲା । ଏଥିରେ ଆଶାୟୀ ମାନଙ୍କ ସହିତ ସେମାନଙ୍କ ସମର୍ଥକ ମାନେ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ସେଦିନ ଗ୍ରାମରେ ଅଷ୍ଟପ୍ରହରୀ ଚାଲୁଥିବା ଦର୍ଶାଇ ତାହାକୁ ବାତିଲ କରିଦିଆଯାଇଥିଲା । ମାସେ ପରେ ବ୍ଲକରେ ସିଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଇଣ୍ଟରଭିୟୁ କରାଯିବାକୁ ନୋଟିସ କରାଯାଇ ପ୍ରାର୍ଥୀ ଚୟନ କରାଯାଇଛି । ଯାହାକୁ ଗ୍ରାମର ମହିଳାମାନେ ଚାହୁଁ ନାହାନ୍ତି । ସେମାନଙ୍କ କହିବା କଥା ଯେ ଅଙ୍ଗନବାଡିରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉତ୍ତମ ସେବା ଯତ୍ନ ଯେ ନେଇ ପାରିବ ଓ ଅଭିଭାବିକା ମାନେ ଯାହାକୁ ଅଧିକ ସମର୍ଥନ ଜଣାଇବେ ସେ ସହାୟକ ପଦବୀରେ ନିଯୁକ୍ତି ପାଇବାର ବ୍ୟବସ୍ଥା ଥିଲେବି ଏଠାରେ ତାହା କରାନଯାଇ କିଛି ମୁଷ୍ଟିମେୟ ଲୋକଙ୍କ ଚାପରେ ଇଣ୍ଟରଭିୟୁ କରା ଯାଇଥିବା ଅଭିଯୋଗ କରି ମମତା ଭୋଇ ଝରଣା ପ୍ରଧାନ, ସତ୍ୟଭାମା ସେଠୀ, ଅଞ୍ଜୁଲତା ଦାସ, ଜୟନ୍ତୀ ସେଠୀ, ମଞ୍ଜୁଲତା ଜେନା, ବିଣାପାଣୀ ସେଠୀ, ବାସନ୍ତୀ ସେଠୀ, ମନୋରମା ସେଠୀ, କମଳା ସେଠୀ, ଅହଲ୍ୟା ନାୟକ, ତୁଳସୀ ସେଠୀ, ସାବିତ୍ରୀ ସେଠୀ, ଝରଣା ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ମଧୁସ୍ମୀତା ଖୁଣ୍ଟିଆ, ମଞ୍ଜୁଲତା ନାୟକ, ସବିତା ନାୟକ, ଟୁନୁ ନାୟକ, ଅହଲ୍ୟା ନାୟକଙ୍କ ସମେତ ପଚାଶରୁ ଉର୍ଦ୍ଧ ମହିଳା ଅଙ୍ଗନବାଡି କାର୍ଯ୍ୟାଳୟ ସମ୍ମୁଖରେ ବସିରହିଥିଲେ । ଏ ସମ୍ପର୍କରେ ସିଡିପିଓଙ୍କୁ ପଚାରିବାରେ ଗାଇଡଲାଇନ ଅନୁଯାଇ ସହାୟକ ନିଯୁକ୍ତି ହୋଇଛି, ସେଥିରେ କିଛି ବ୍ୟତିକ୍ରମ ହୋଇ ନାହିଁ ବୋଲି କହିଛନ୍ତି ।