ଫୁଲବାଣୀରେ ଦୁଇ ଦିନ ଧରି ଅନୁଷ୍ଠିତ ହେବ ପେନ୍‍ସନ ଅଦାଲତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ, ପ୍ରଧାନ ମହା ଲେଖାକାର (ଲେଖା ଏବଂ ହକଦାରୀ) ଓ ଲେଖା ନିୟନ୍ତ୍ରକ, ଓଡ଼ିଶା ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ଜୁନ୍‍ ମାସ ୯ ଓ ୧୦ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କର ବିଚାରାଧୀନ ବକେୟା ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପାଇଁ ପେନ୍‍ସନ ଅଦାଲତ ଅନୁଷ୍ଠିତ ହେବ । ଏହି ଅଦାଲତକୁ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ଉଦ୍‍ଘାଟନ କରିବେ । ଜିଲ୍ଲାପାଳ ସଂପୃକ୍ତ ବିଭାଗ ଗୁଡ଼ିକୁ ବିଚାରାଧୀନ ପେନ୍‍ସନ ମାମଲାର ସ୍ଥିତି ରିପୋର୍ଟ ସହିତ ପେନ୍‍ସନ ଅଦାଲତରେ ଯୋଗ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ପେନ୍‍ସନ ଅଦାଲତ ରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ଓ ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟର ଉଚ୍ଚ ପଦାଧିକାରୀମାନଙ୍କ ସମେତ ପ୍ରଧାନ ମହା ଲେଖାକାର (ଏ.ଜି.) ର ବରିଷ୍ଠ ଉପ ମହା ଲେଖାକାର (ପେନ୍‍ସନ) ଶ୍ରୀରାଜ ଅଶୋକ, ସହକାରୀ ମହାଲେଖାକାର ମୁକୁଲ ଜାମଲକି ଓ ସୁଶ୍ରୀ ତାନ୍ୟା ଆମ୍ବାସ୍ତା, ବରିଷ୍ଠ ଲେଖାଧିକାରୀ ସୁଶୀଲ କୁମାର ମିଶ୍ର ଓ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବକେୟା ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପାଇଁ ତ୍ୱରିତ ପଦକ୍ଷେପ ନେବେ । ଇତି ମଧ୍ୟରେ କନ୍ଧମାଳ ଜିଲ୍ଲାର ପେନ୍‍ସନ ମଞ୍ଜୁରକର୍ତ୍ତା ଓ ପେନ୍‍ସନରମାନଙ୍କୁ ଆବଶ୍ୟକ ପେନ୍‍ସନ କାଗଜପତ୍ର ସହିତ ଉପସ୍ଥିତ ରହିବାକୁ ମୋବାଇଲ୍‍ ଫୋନ୍‍ ମାଧ୍ୟମରେ ଅନୁରୋଧ କରାଯାଇଛି। ଏହି ଅଦାଲତ ଦିନ ୧୦ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଜିଲ୍ଲାର ସମସ୍ତ ପେନ୍‍ସନ ମଞ୍ଜୁର ଅଧିକାରୀମାନେ ଅବସରପ୍ରାପ୍ତ କର୍ମଚାରୀ ଯେଉଁମାନଙ୍କର ପେନ୍‍ସନ ଆବେଦନ ପତ୍ର ଏ.ଜି. କାର୍ଯ୍ୟାଳୟକୁ ପଠାଯାଇପାରିନାହିଁ କମ୍ବା ଅନ୍ୟ କୌଣସି କାରଣରୁ ପେନ୍‍ସନ ମଞ୍ଜୁର ହୋଇପାରିନାହିଁ ସେମାନଙ୍କର କାଗଜପତ୍ର ଏହି ଅଦାଲତରେ ଉପସ୍ଥାପନ କରିବାକୁ ଏ.ଜି. କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ଯାହାଫଳରେ ଏହି ଅଦାଲତରେ ସେମାନଙ୍କର ପେନ୍‍ସନ ମଞ୍ଜୁର କରାଯାଇପାରିବ ବୋଲି ପ୍ରଶାସନ ପକ୍ଷରୁ ଏକ ପ୍ରେସ୍‍ ବିବୃତ୍ତିରେ ଜଣାଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ