ଜାତିପ୍ରଥା ବିବାଦରେ ବଳି ପଡିଲେ ଦେଶ ପାଇଁ ଲଢୁଥିବା ସେନା କର୍ମଚାରୀଙ୍କ ଦୁଇ ପରିବାର
ଛତ୍ରପୁର, (ଦେବଦତ୍ତ ମହାରଣା) :-ସମାଜର ଉନ୍ନତି ସଙ୍ଗେ ସଙ୍ଗେ ଦିନକୁ ଦିନ ଲୋକଙ୍କ ଚାଲି ଚଳଣି ମଧ୍ୟ ବଦଳିବାରେ ଲାଗିଲାଣି । ଆଉ ଆଜିକାର ଏହି ଆଧୁନିକ ସମାଜରେ ସମୟକୁ ତାଳ ଦେଇ ସମସ୍ତେ ବଂଚିବା ପାଇଁ ଚେଷ୍ଟା କରିଥାନ୍ତି । ହେଲେ ଏଭଳି ବହୁ ସମସ୍ୟା ରହିଛି ଯାହାକି, ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ସେଗୁଡିକ ମଧ୍ୟରୁ ଜାତି ପ୍ରଥା ଏକ ମୁଖ୍ୟ ସମସ୍ୟା । ଏହି ସମସ୍ୟା ପାଇଁ କେଉଁଠି ନିଜ ପରିବାରରୁ ବାସନ୍ଦ ହେବାକୁ ପଡୁଛି ତ ଆଉ କୋଉଠି ନିଜ ଗ୍ରାମରୁ ବାସନ୍ଦ ହେବାକୁ ପଡୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମରେ । ସେ ବି କୋଉ ଅପାଠୁଆ ଲୋକଙ୍କୁ ନେଇ ନୁହେଁ ବରଂ ଯିଏ ଦେଶ ପାଇଁ ପ୍ରାଣବଳୀ ଦେବା ସହ ନିଜ ଜୀବନକୁ ବାଜିରେ ଲଗାଇ ଦେଶକୁ ରକ୍ଷା କରିବା ପାଇଁ କାର୍ଯ୍ୟ କରୁଛି ତାଙ୍କ ପରିବାରକୁ ନେଇ । କଳମ୍ବ ଗ୍ରାମରେ ବାସ କରୁଥିବା ଅରୁଣ କୁମାର ପ୍ରଧାନ ଓ ତାଙ୍କ ଭାଇ ବସନ୍ତ ପ୍ରଧାନଙ୍କ ପରିବାରକୁ ତାଙ୍କ ଗ୍ରାମରୁ ବାସନ୍ଦ କରାଯାଇଛି । ଏନେଇ ସେମାନେ ସୋମବାର ଡିଆରଡିଏ ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ସୂଚନା ପ୍ରକାରେ ଅରୁଣ କୁମାର ପ୍ରଧାନଙ୍କ ପୁଅ ଅରବିନ୍ଦ ପ୍ରଧାନ ୨୦୨୨ ମସିହା ଜାନୁଆରୀ ମାସ ୨୪ ତାରିଖରେ ଖଣ୍ଡାୟତ ଜାତିର ଏକ ଝିଅଙ୍କୁ ହିନ୍ଦୁ ରିତିନୀତି ଅନୁସାରେ ବିବାହ ହୋଇଥିଲା । ପରେ ୨୫ ମାର୍ଚ୍ଚ ୨୦୨୨ ରେ ଗ୍ରାମରେ ଏକ ବୈଠକ କରାଯାଇଥିଲା । ସେମାନେ ବଳାସୀ ଜାତିର ହୋଇଥିବାରୁ ଅନ୍ୟ ଏକ ଜାତିରେ ବିବାହ କରିଥିବା ନେଇ ସେମାନଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିଲା । ଏପରିକି ଉକ୍ତ ଭୋଜିରେ ଯେଉଁମାନେ ଯୋଗ ଦେଇଥିଲେ ସେମାନଙ୍କୁ ମଧ୍ୟ ଜୋରିମାନା ପକାଯାଇଥିବା ସେମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ସେ ପୂର୍ବରୁ ପୋଲସରା ଥାନା ରେ ଅନଲାଇନ ଏବଂ ପରେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏପରିକି ଅରବିନ୍ଦ ପ୍ରଧାନ ଇଣ୍ଡିଆନ ଏୟର ଫୋର୍ସରେ ଚାକିରି କରୁଥିବାରୁ ସେ ଆଜି ଚାକିରେ ଯୋଗଦେବାକୁ ରହିଥିବା ବେଳେ ସେ ଏହିଭଳି ସ୍ଥିତି ଯୋଗୁଁ ଚାକିରିରେ ଯୋଗଦେଇ ପାରିନଥିବା କହିଛନ୍ତି । ସେହିପରି ବସନ୍ତ ପ୍ରଧାନଙ୍କ ପୁଅ ବିନୟ କୁମାର ପ୍ରଧାନ ନାଭାଲରେ ନିଯୁକ୍ତି କରୁଛନ୍ତି । ସେ ମଧ୍ୟ ଏହି ଘଟଣା ପାଇଁ ମାନସିକ ଚାପରେ ଉକ୍ତ ଦୁଇ ପରିବାର ସମସ୍ତ ସଦସ୍ୟ ରହିଛନ୍ତି । ତୁରନ୍ତ ଆମ ପରିବାରକୁ ନ୍ୟାୟ ଆବଶ୍ୟକ ବୋଲି କହିବା ସହ ଯଦି ପରିବାରର କିଛି ଅଘଟଣ ହୁଏ ତେବେ ଏହି କମିଟି ଦାୟୀ ରହିବେ ବୋଲି ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ବାସନ୍ଦ ଘଟଣାକୁ ନେଇ ଦୁଇ ଦିନତଳେ ଉକ୍ତ ପରିବାର ଗଞ୍ଜାମ ଏସପିଙ୍କୁ ମଧ୍ୟ ସାକ୍ଷାତ କରିଥିବା କହିଥିଲେ । ଘଟଣାକୁ କେନ୍ଦ୍ରକରି ପୋଲସରା ଥାନାରେ ଏକ ମାମଲା ଜୁନ ୧ରେ ଏତଲା ଦିଆ ଯାଇଥିଲା । ଅଭିଯୋଗ କ୍ରମେ ୨୧୯/୨୨ ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଜଣାପଡିଛି ।


