୩୨ ଦିନରେ ଛତ୍ରପୁରର ମା ରାମାୟାଣାମ୍ମାଙ୍କ ଯାତ୍ରା : ୭ ତାରିଖ ବିଳମ୍ବିତ ରାତ୍ରରେ ନିଜ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ ମା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଆରାଧ୍ୟ ଦେବୀ ମା ରାମାୟାଣାମ୍ମାଙ୍କ ଯାତ୍ରା ରବିବାର ୩୨ ଦିନରେ ପହଂଚିଛି । ଆଜି ମା ସହର ସ୍ଥିତ ନାଗୁଲୁ ପେଟା ସାହି ପରିକ୍ରମା କରିି ଭକ୍ତ ମାନଙ୍କ ଠାରୁ ଭୋଗ ଗ୍ରହଣ କରିଛନ୍ତି । ମାଙ୍କ ଘଟ ସମ୍ମୁଖରେ ଆନ୍ଧ୍ରା କାଳି ନୃତ୍ୟ, କାଠପାଦ କାଳୀ ନୃତ୍ୟ, ସମ୍ବଲପୁର ର ସିଙ୍ଗ ବାଜା, ବିଭିନ୍ନ ଦେବା ଦେବୀଙ୍କ କଣ୍ଢେଇ ନାଚ, ବାଘ ନାଚ ଆଦି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ମାଙ୍କ ଏହି ଯାତ୍ରା ପ୍ରତି ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବାରୁ ଏହି ଯାତ୍ରା ଦେଖିବା ପାଇଁ ଛତ୍ରପୁର ସହର ଏବଂ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଛତ୍ରପୁର ସହର ରେ ଭିଡ ଜମାଉଛନ୍ତି । ଅନ୍ୟପଟେ ମାଙ୍କ ଯାତ୍ରା ଲାଗି ଛତ୍ରପୁର ସହର ଚଳଚଂଚଳ ହୋଇ ପଡିଥିବା ବେଳେ ମୁଖ୍ୟ ବଜାର ଆଲୋକ ମାଳାରେ ଝଲସି ଉଠିଛି । ସେହିପରି ସହରର ଷ୍ଟେସନ ରୋଡ୍ ଠାରେ ମୀନା ବଜାର ଓ ରାମ ଦୋଳି କୁ ଅଧିକ ମାତ୍ରାରେ ଲୋକେ ଯାଇ ମଜା ଉଠାଉଥିବା ଦେଖିବାକୁ ମିଳିଛି । ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର କେ. ଚନ୍ଦ୍ର ଶେଖର ରେଡ୍ଡି ସହଯୋଗ କରିଥିଲେ । ସୂଚନା ଥାଉ କି ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମାଙ୍କ ଏହି ଯାତ୍ରା ଗତ ମେ ମାସ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୭ ତାରିଖ ଦିନ ଏହି ଯାତ୍ରା ଉଦଯାପିତ ହେବ ।


