ମାନବ କଲ୍ୟାଣ ପାଇଁ ପ୍ରକୃତିର ସୁରକ୍ଷା ଏକ ଆହ୍ୱାନ ହୋଇଛି : ମେଧା ପାଟେକର

ବାଲେଶ୍ୱର, (ସରୋଜ ପଣ୍ଡା) :-ମାନବ ସମାଜ ପାଇଁ ପ୍ରକୃତି ଦତ୍ତ ଜମି, ଜଙ୍ଗଲ, ପାଣି ଓ ଖଣି ପ୍ରଭୃତିର ସୁରକ୍ଷା ନିମନ୍ତେ ଜନଗଣ ଐକ୍ୟବଦ୍ଧ ହୋଇ ସ୍ୱର ଉତ୍ତୋଳନ କରିବା ସମ୍ପ୍ରତି ଏକ ଆହ୍ୱାନ ବୋଲି ଆନ୍ତର୍ଜାତିକ ପରିବେଶବିତ୍ ତଥା ସମାଜସେବୀ ମେଧା ପାଟେକର ଏବଂ ମେଗାସିସ୍ ପୁରସ୍କାରପ୍ରାପ୍ତ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ମତବ୍ୟକ୍ତ କରିଛନ୍ତି । ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ସ୍ଥାନୀୟ ମା’ ଇଣ୍ଟରନ୍ୟାସନାଲ ହୋଟେଲ୍ ସଭାଗୃହରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାର ପ୍ରତିଉତ୍ତରରେ ସେମାନେ ଉପରୋକ୍ତ ମତ ଦେଇଛନ୍ତି । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ତଥା ଓକିଲ ସଂଘର ସଭାପତି ମନୋଜ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କୃଷକନେତା ଲିଙ୍ଗରାଜ, ଏଆଇଏସଏଫର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖ ବାଲିଆପାଳରେ ବିସ୍ଥାପନ ବିରୋଧି ସମାବେଶରେ ଯୋଗଦେଇ ଫେରିବାପରେ ମଙ୍ଗଳବାର ଅପରାହ୍ନରେ ଏହି ନାଗରିକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ସିଭିଲ୍ ସୋସାଇଟିର ସଦସ୍ୟମାନେ ଦେଶ ଓ ରାଜ୍ୟର ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ନିଜର ନାଗରିକ ଅଧିକାର ପାଇଁ ଲଢ଼େଇ ନିମନ୍ତେ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ଓକିଲ ସଂଘ, ମାନବ ଅଧିକାର ଓ ଯୁବବିକାଶ ପରିଷଦ, ଜିଲ୍ଲା ଏ.ଆଇ. ଟି. ୟୁ.ସି., ବାଲେଶ୍ୱର ଜିଲ୍ଲା ସଂଖ୍ୟାଲଘୁ ଆଇନଜୀବୀ ସଂଘ, ଜୈବବିବିଧ ସଂରକ୍ଷଣ ସଂଘ, ଆମ୍ବେଦକର ବିଚାରମଞ୍ଚ, ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାର୍ଥସାରଥୀ ଦତ୍ତ, ସୁରମା ମିସ୍ତ୍ରୀ, ବିମଳ ସେନ୍‌, ମହମ୍ମଦ ଇସ୍‌ଲାମ୍‌, ମମତା ମହାପାତ୍ର, ଶମ୍ଭୁନାଥ ମହାନ୍ତି, ନିରଞ୍ଜନ ପରିଡ଼ା, ରାଜେଶ ପଣ୍ଡା, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଡ. ସିଦ୍ଧାର୍ଥ ପତି, ଶ୍ୟାମସୁନ୍ଦର ଜେନା, ସୀତାରାମ ପ୍ରଧାନ, ଅର୍ଚ୍ଚନା ନନ୍ଦୀ, ଜୟନ୍ତ ମହାନ୍ତି, ଦୀପକ ଦାସ, ସୁଦର୍ଶନ ଜେନା, ବଂଶୀଧର ପଣ୍ଡା, ରମେଶ ଚନ୍ଦ୍ର ଜେନା, ସୁରେନ୍ଦ୍ର ପଣ୍ଡା ଓ ସାମ୍ବାଦିକ ରତିକାନ୍ତ ପାତ୍ର ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ମେଧା ପାଟେକର ଓ ତାଙ୍କର ସାଥୀମାନେ ସକାଳେ ବାଲେଶ୍ୱର ସହର ଅତିକ୍ରମ କରିବା ସମୟରେ ଏଫ୍ ଏମ୍ ଗୋଲେଇସ୍ଥିତ ବ୍ୟାସକବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପଥବିକ୍ରେତା ସଂଘର ରାଜ୍ୟ ସଭାପତି ଜୟନ୍ତ ଦାସଙ୍କ ନେତୃତ୍ୱରେ ଶତାଧିକ ପଥବିକ୍ରେତା ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆବିଦ୍ ଖାଁ, ଟିପିରି ସିଂ, ଦୀନବନ୍ଧୁ ସାହୁ ଓ ମନୋଜ ରାଠୋର ପ୍ରମୁଖ ସଂଘ ପକ୍ଷରୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ