ହିଞ୍ଜିଳି ଓ ଶେରଗଡ଼ ଅଂଚଳରେ ୧୦୮ ଆମ୍ବୁଲାନ୍ସ ସେବା ଅଚଳ : ରୋଗୀ ହନ୍ତସନ୍ତ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍/ଶେଷଦେବ ସାହୁ): ରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବା ସହ ମାଗଣାରେ ଔଷଧ ପ୍ରଦାନ ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନାମାନ ପ୍ରଣୟନ କରିଛନ୍ତି । ବାସ୍ତବ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ସରକାରଙ୍କ ସମସ୍ତ ଯୋଜନା କେବଳ କାଗଜପତ୍ର ମଧ୍ୟରେ ସିମୀତ ରହିଯାଉଥିବା ଏବଂ ଏହାର ଫାଇଦା ଜନସାଧାରେଣଙ୍କୁ ମିଳୁନଥିବା ଦେଖାଦେଉଛି । ଦୂର୍ଘଟଣାରେ ଆହତ, ଗୁରୁତର ଅସୁସ୍ଥ ରୋଗୀଙ୍କୁ ଡ଼ାକ୍ତରଖାନାରେ ଭର୍ତି କରିବା, ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବା ସହ ରୋଗୀଙ୍କୁ ମାଗଣାରେ ଡ଼ାକ୍ତରଖାନାରେ ପଂହଚାଇବା ଲକ୍ଷ୍ୟରେ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗତ ୨୦୧୩ ମାର୍ଚ୍ଚ ମାସରେ ୧୦୮ ଆମ୍ବୁଲାନ୍ସ ସେବାର ପ୍ରଚଳନ କରାଯାଇଥିଲା । ୧୦୮ ଆମ୍ବୁଲାନ୍ସ ସେବାର ପ୍ରଚଳନ ହେବାର ଦୀର୍ଘ ୨ ବର୍ଷ ସୁରୁଖୁରୁରେ ଚାଲିଥିବା ବେଳେ ଏହା ପରବର୍ତି ସମୟରେ ନାନା ଅସୁବିଧାରେ ଗଡ଼ି ଚାଲିଛି । କେତେବେଳେ ଆମ୍ବୁଲାନ୍ସର ତେଲ ସରି ଅଧାବାଟରେ ରୋଗୀଙ୍କ ଜୀବନ ଚାଲିଯାଉଛି ତ କେତେବେଳ ଆବଶ୍ୟକ ସମୟରେ ଉପଯୁକ୍ତ ମରାମତି ନହେବା କାରଣରୁ ଅଧାବାଟରେ ଗାଡ଼ି ଅଟକି ରହୁଥିବାର ଦେଖିବାକୁ ମିଳୁଛି । ରୋଗୀଙ୍କୁ ଆମ୍ବୁଲାନ୍ସ ମଧ୍ୟରେ ଅତ୍ୟାବଶ୍ୟକ ଏବଂ ତୁରନ୍ତ ଚିିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆମ୍ବୁଲାନ୍ସ ମଧ୍ୟରେ ରହିଥିବା ଚିକିତ୍ସା ଉପକରଣ ଓ ଯନ୍ତ୍ରାଂଶ ଗୁଡ଼ିକ ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି । ଅଧିକାଂଶ ଆମ୍ବୁଲାନ୍ସର ଇନସୁରାନ୍ସ ଓ ଫିଟ୍ନେଓ ନଥିବା ମଧ୍ୟ ଜଣାପଡ଼ିଛି । ଅଧିକାଂଶ ୧୦୮ ଆମ୍ବୁଲାନ୍ସ ଜରାଜୀର୍ଣ୍ଣ ଓ ଦଦରା ଅବସ୍ଥାରେ କାର୍ଯ୍ୟକ୍ଷମ ହେଉଛି । କେତେବେଳେ ଯେ ଏହି ଆମ୍ବୁଲାନ୍ସରେ ରୋଗୀଙ୍କ ଜୀବନ ଯିବ କହିବା ମୁସ୍କିଲ ।
ଗତ ଅକ୍ଟୋବର ୬ ତାରିଖ ବିଳମ୍ବିତ ରାତିରେ ଶେରଗଡ଼ ଅଂଚଳରୁ ରୋଗୀଙ୍କୁ ନେଇ ଏକ ୧୦୮ ଆମ୍ବୁଲାନ୍ସ (ଓଡ଼ି୦୨ଇ ୫୧୮୯) ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରି ଶେରଗଡ଼କୁ ଫେରୁଥିବା ସମୟରେ ହିଂଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ସମରଝୋଳ ଛକ ନିକଟରେ ରାସ୍ତା ପ୍ୱାଶ୍ୱର୍ସ୍ଥ ଏକ କାର୍ ସହ ଧ୍କା ଘଟିଥିଲା । ଦୂର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା । ଦୂର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଘଟଣା ସ୍ଥଳରୁ ଆମ୍ବୁଲାନ୍ସକୁ ଆଣି ହିଂଜିଳିକାଟୁ ପୌରାଂଚଳ ନିୟନ୍ତ୍ରିତ ବଜାର ପରିସରରେ ରଖି ଚାଲି ଯାଇଥିଲେ । ପରବର୍ତି ସମୟରେ ଆମ୍ବୁଲାନ୍ସର ମରାମତି କରିବା ବାହାନରେ ପ୍ରାୟ ଦେଢ ମାସ ଧରି ଗ୍ୟାରେଜ୍ରେ ରହି ଖତ ଖାଉଛି । ଅନୁରୂପ ଭାବେ ଆମ୍ବୁଲାନ୍ସ ମରାମତି କରିବା ବାହାନାରେ ହିଞ୍ଜିଳିକାଟୁ ପୌରାଂଚଳରେ ଅବସ୍ଥାପତି ୨ ଟି ଆମ୍ଭୁଲାନ୍ସ ମଧ୍ୟ ଗ୍ୟାରେଜରେ ଥିବା ଜଣାପଡ଼ିଛି । ହିଞ୍ଜିଳି ଓ ଶେରଗଡ଼ ଅଂଚଳରେ ଆମ୍ବୁଲାନ୍ସ ସେବା ମିଳିପାରୁନଥିବା ଯୋଗୁଁ ରୋଗୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଘଟଣା ନେଇ ୧୦୮ ଆମ୍ବୁଲାନ୍ସର ଏମ.ଇ. ରାଜେଶ କୁମାର ଓ କ୍ଳଷ୍ଟର ଲିଡ଼ର ପ୍ରଶାନ୍ତ କୁମାର ସାବତଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ । ଏ ନେଇ ୧୦୮ ଆମ୍ବୁଲାନ୍ସର ଓଡ଼ିଶା ରାଜ୍ୟର ଦାୟିତ୍ୱ ବହନ କରୁଥିବା ସଂସ୍ଥା ଜିକିତ୍ସା ହେଲଥ୍ କେୟାର ଲିଃ. (ଜେଡ଼. ଏଚ. ଏଲ.)ର ପରିଚାଳନା ନିର୍ଦ୍ଦେଶକ ଦୀପକ ଶ୍ରୀବାସ୍ତବଙ୍କ ପଚାରିବାରୁ ସେ କହିଲେ ଆମ୍ବୁଲାନ୍ସ ଗୁଡ଼ିକର ମରାମତି କାର୍ଯ୍ୟ ଶୀଘ୍ର ସାରି କାର୍ଯ୍ୟକ୍ଷମ କରାଯିବ । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାରେ ୩୫ ଟି ୧୦୮ ଆମ୍ବୁଲାନ୍ସ ରହିଥିବା ବେଳେ ସେଥିମଧ୍ୟରୁ ଏଯାବତ୍ ୧୨ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ରହିଛି । ହିଞ୍ଜିଳି, ଶେରଗଡ଼ ସମେତ କବିସୂର୍ଯ୍ୟନଗର, ଆସିକା, ଦିଗପହଣ୍ଡି, ଚିକିଟି, ପୁରୁଷୋତମପୁର, ଭଞ୍ଜନଗର, କୋଦଳା, କୁକୁଡ଼ାଖଣ୍ଡି, ଖଲ୍ଲିକୋଟ ଅଂଚଳରେ ଅବସ୍ଥାପିତ ୧୦୮ ଆମ୍ବୁଲାନ୍ସ ଗୁଡ଼ିକ ମରାମତି ସକାଶେ ବନ୍ଦ ରହିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରେ ଚାଲୁ ରହିଥିବା ୧୨ ଟି ଆମ୍ବୁଲାନ୍ସ ଜରାଜୀର୍ଣ୍ଣ ଅବସ୍ଥାରେ ଚାଲୁ ରହିଛି, କେତେବେଳ ତାହା ବି ଅଧାବାଟରେ ଅଟକି ଯିବ, ତାହା ବି କହିବା ମୁସ୍କିଲ ବୋଲି ଜଣେ କାର୍ଯ୍ୟରତ ଆମ୍ବୁଲାନ୍ସ ଚାଳକ ମତପ୍ରକାଶ କରିଛନ୍ତି ।


