ଶ୍ରୀ ମହାପ୍ରସାଦର ଏକ ସ୍ୱତନ୍ତ୍ରତା ରହିଛି ଉତ୍କଳ ବିଦ୍ୱତ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟସ୍ତରୀୟ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ବିଦ୍ୱତ ପରିଷଦ ପକ୍ଷରୁ ରବିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରଠାରେ ଶ୍ରୀଜଗନ୍ନାଥଙ୍କ ଶ୍ରୀ ମହାପ୍ରସାଦ ଉପରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରି ବରିଷ୍ଠ ପ୍ରଶାସକ ବିନୟ କୁମାର ଦାଶ କହିଲେ ଯେ, ଶାସ୍ତ୍ରରେ ନିଜେ ପ୍ରଭୁ କହିଛନ୍ତି ମୋତେ ନିନ୍ଦା କଲେ ମୁଁ ସହିଯିବି କିନ୍ତୁ ମୋ ଶ୍ରୀମହାପ୍ରସାଦକୁ କେହି ନିନ୍ଦା କଲେ ତାହା ମୋ ଦ୍ୱାରା ଅସହ୍ୟ । ଶ୍ରୀକ୍ଷେତ୍ରରେ ଶ୍ରୀ ମହାପ୍ରସାଦ ହେଉଛନ୍ତି ମହା ଆନନ୍ଦ, ମହାଭାବ ଓ ମହା ପବିତ୍ରତାର ପ୍ରତୀକ । ବର୍ଣ୍ଣବୈଷମ୍ୟ ଓ ସାମ୍ପ୍ରଦାୟିକତା ସଂକୀର୍ଣ୍ଣତାକୁ ଭୁଲି ସମସ୍ତେ ମିଳିତ ଭାବେ ଶ୍ରୀ ମହାପ୍ରସାଦ ସେବା କରିବା କେବଳ ଶ୍ରୀକ୍ଷେତ୍ରରେ ହିଁ ସମ୍ଭବ । ପୂର୍ବତନ କୁଳପତି ପ୍ରଫେସର ନିଳକଣ୍ଠ ପତି, ସନ୍ଥ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣରୁ ବହୁ ଅଂଶ ଉଦ୍ଧୃତ କରି କହିଲେ ଯେ ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ଶ୍ରୀକ୍ଷେତ୍ରର ଆନନ୍ଦ ବଜାରରେ ଏକାକାର । ଏଠି ଥାଏ କେବଳ ଭକ୍ତିଭାବର ଅମୃତଧାରା । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ପୂର୍ବତନ ଶ୍ରୀମନ୍ଦିରର ସହ ପ୍ରଶାସକ ଡଃ ଭାସ୍କର ମିଶ୍ର କହିଲେ ଯେ, ପଞ୍ଚସଖାଙ୍କ ରଚିତ ଭାବ ସମୁଦ୍ର ଗ୍ରନ୍ଥଠାରୁ ଆରମ୍ଭ କରି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ଶ୍ରୀ ମହାପ୍ରସାଦର ମାହାତ୍ମ୍ୟକୁ ବର୍ଣ୍ଣନା କରିବାରେ ଶତମୁଖ ହୋଇ ପଡ଼ିଛନ୍ତି । ଭଞ୍ଜକବି ରସିକ ହାରାବଳି କାବ୍ୟରେ ମଧ୍ୟ ଶ୍ରୀ ମହାପ୍ରସାଦ ପାଇଲେ, ମଣିଷ ଜନ୍ମ ଧନ୍ୟ ହୋଇଯିବା କଥା ଲେଖିଛନ୍ତି । ବଡୁ ସୁଆର ନିଯୋଗର ସଭାପତି ବିଶ୍ୱନାଥ ସାମନ୍ତରାୟ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି କହିଲେ ଯେ, ସବୁ ଲୀଳାମୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛାରେ ହୋଇଥାଏ । ରୋଷଶାଳାରେ ଥରେ ପଶିଗଲେ ପ୍ରଭୁ ଆମକୁ ତାଙ୍କ କାର୍ଯ୍ୟ କରିବା ପାଇଁ ଅସୀମ ବଳ ଦେଇଥାନ୍ତି । ସେ ପରିବେଶର ନିଷ୍ଠା ଅବର୍ଣ୍ଣନୀୟ । ଅନ୍ୟତମ ଆଲୋଚକ ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଶ୍ରୀ ମହାପ୍ରସାଦର ପ୍ରସ୍ତୁତିଶୈଳୀ ସମ୍ପୂର୍ଣ୍ଣ ବିଜ୍ଞାନସମ୍ମତ । ହଜାର ବର୍ଷ ତଳେ ଯେଉଁ ପଦ୍ଧତି ଆମ ପୂର୍ବଜମାନେ ଗ୍ରହଣ କରିଥିଲେ ଆଜି ସେହି ପଦ୍ଧତିକୁ ଉନ୍ନତମାନର କରାଯାଉଛି । ତେଣୁ ଧର୍ମ ଓ ବିଜ୍ଞାନର ସମନ୍ୱୟ ସବୁବେଳେ ଆମ ସଂସ୍କୃତିରେ ଦେଖାଯାଇଛି । ପରିବର୍ତ୍ତନର ମୁଖ୍ୟ ସମ୍ପାଦକ ତଥା ସେବାୟତ ଜିତେନ୍ଦ୍ର କୁମାର ମହାପାତ୍ର ଗୋପାଳ ବଲ୍ଲଭ ଠାରୁ ପ୍ରଭୁଙ୍କର ବଡ଼ସିଂହାର ବେଶ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ନୈବେଦ୍ୟ ବିଷୟରେ ଆଲୋକପାତ କରିଥିଲେ । ବିଜୟକୃଷ୍ଣ ବ୍ରହ୍ମା ଅତିଥି ପରିଚୟ, ଶ୍ରୀମତୀ ରଶ୍ମୀ ମହାପାତ୍ର ଧନ୍ୟବାଦ ଅର୍ପଣ ଓ ଡଃ ଅନ୍ନଦା ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଧର୍ମ ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟରତ ଯୁବକ ବରୁଣରାଜ ଓ ଅନ୍ୟମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ