ପୂର୍ବତଟ ରେଳବାଇ ବିଶାଖାପାଟଣା ଡିଆରଏମ ଅନୁପ କୁମାର ଶତପଥୀଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଦିନିକିଆ ଗଜପତି ଗସ୍ତରେ ପୂର୍ବତଟ ରେଳବାଇ ବିଶାଖାପାଟଣା ଡିଆରଏମ ଅନୁପ କୁମାର ଶତପଥୀ  ଆସିଥିବାର ଜଣାପଡିଛି । ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର  ଷ୍ଟେସନ ଠାରେ ପହଞ୍ଚି ସ୍ଥିତି ଓ ସ୍ଥାନୀୟ ସମସ୍ୟା ଅନୁଧ୍ୟାନ କରିଛନ୍ତି । ଏହାପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଲୋକଙ୍କ ସହ ଆଲୋଚନା କରିଥିଲେ । ଏବଂ ଯଥାଶୀଘ୍ର ପାରଳାଖେମୁଣ୍ଡି ଷ୍ଟେସନରେ ରେଳ ଲାଇନର ଦୋହରି କରଣ କରିବା ସହ ନୂତନ ଟ୍ରେନ ଏହି ରାସ୍ତାରେ ଚାଲିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପାରଳା ଜନସାଧାରଣ ଶ୍ରୀ ଶତପଥୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିବାର ମଧ୍ୟ ଜଣାପଡିଛି । ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ, ଦୀର୍ଘ ଦିନ ହେଲା ପାରଳା ରେଳ ଷ୍ଟେସନ ଅବସ୍ଥାପିତ ହୋଇଥିଲେମଧ୍ୟ ଆଜି ଯାଏଁ ଆନୁସାଙ୍ଗିକ ବ୍ୟବସ୍ଥାରୁ ବାଦ ପଡିଛି । ଜିଲ୍ଲାର ଏହା ମୁଖ୍ୟ ଷ୍ଟେସନ ହୋଇଥିଲେ ହେଁ ଏଠାରେ ପାନୀୟ ଜଳ ଠାରୁ ଆରମ୍ଭ କରି ଆଲୋକିକରଣ, ଶୌଚାଳୟ ଆଦି ବ୍ୟବସ୍ଥା ଏଯାବତ ହୋଇପାରିନାହିଁ । ବିଶେଷ କରି ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ନକରିବା ହେତୁ ବୃଦ୍ଧବୃଦ୍ଧାଙ୍କ ସମେତ ପିଲାମାନେ ଏହି ଷ୍ଟେସନରୁ ରେଳକୁ ଚଢିବାକୁ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ସହ ଯାତ୍ରୀବିଶ୍ରାମାଗାର ରାଜାରାଜୁଡା ଅମଳରୁ ରହିଛି । ଯାହାକି ଜରାଜୀର୍ଣ୍ଣ ଅବସ୍ଥାରେପଡି ରହିଛି । ଅନ୍ୟପକ୍ଷରେ ହାତଗଣତି ଟ୍ରେନ ଚଳାଚଳ କରୁଥିବା ବେଳେ ଏହା ମଧ୍ୟ ସମୟ ସାରଣୀ ମଧ୍ୟରେ ଚାଲୁ ନାହିଁ । ଏହାସହ ପଲାସା-ଭୁବନେଶ୍ବର ଟ୍ରେନକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସଂପ୍ରସାରଣ କଲେ ଲୋକେ ସିଧାସଳଖ ରାଜ୍ୟ ରାଜଧାନୀ ସହ ଯୋଡି ହେବେ । ବର୍ତ୍ତମାନ ରାଜ୍ୟରାଣୀ ଏକ୍ସପ୍ରେସ ଚାଲୁ ରହିଥିଲେ ମଧ୍ୟ ଏହା ପାରଳାଖେମୁଣ୍ଡି ଠାରେ ସ୍ବଳ୍ପ ସମୟ ପାଇଁ ରହଣୀ କରୁଛି ଏବଂ ଏହା ରାଜଧାନୀରେ ପହଞ୍ଚିବା ବେଳକୁ ମଧ୍ୟ ରାତ୍ର ହୋଇଯାଉଛି  । ତେଣୁ ଭୁବନେଶ୍ବର-ପଲାସା ଡିଏମୟୁକୁ ପାରଳା ଏବଂ କାଶୀନଗରକୁ ସଂପ୍ରସାରଣ କରାଗଲେ ଲୋକେ ସିଧାସଳଖ ରାଜଧାନୀକୁ ଯାଇ ପୁଣି ଫେରି ପାରିବେ ବୋଲି ଦର୍ଶାଯାଇଛି । ସେହିପରି ଡିଆରଏମ କାଶୀନଗର ରେଳ ଷ୍ଟେସନକୁ ମଧ୍ୟ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଛନ୍ଚି । କାଶୀନଗର ଠାରେ ଜନସାଧାରଣ ରାଜ୍ୟରାଣୀ ଏକ୍ସପ୍ରେସର ରହଣୀ ପାଇଁ ଦାବୀ କରିବାସହ ପ୍ଲାଟଫର୍ମର ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଶ୍ରୀ ଶତପଥୀଙ୍କୁ ଅବଗତ କରାଇଥିଲେ । ସମସ୍ତ ସମସ୍ୟା ବୁଝି ଶ୍ରୀ ଶତପଥୀ ସମାଧାନ ନିମନ୍ତେ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଫେରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ