ଲୋକଙ୍କ ସମସ୍ୟା ବୁଝିବା ପାଇଁ ସରପଞ୍ଚଙ୍କ ଅଭିନବ ପଦକ୍ଷେପ
ହାଟଡିହି, (ବିକାଶ ବିଶ୍ୱାଳ) :-ଲୋକଙ୍କ ସମସ୍ୟା ବୁଝିବାପାଇଁ ସରପଞ୍ଚ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ହାତରେ ଖାତା କଲମ ଧରି ଘରକୁ ଘର ବୁଲି ଲୋକଙ୍କ ସମସ୍ୟା କୁ ଲିପିବଦ୍ଧ କରି ସମସ୍ୟା ଗୁଡିକ ସମ୍ପର୍କରେ ନିଜେ ଅବଗତ ହେବ ସହିତ କିପରି ଏହାର ସମାଧାନ କରାଯିବ ସେନେଇ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଉଛନ୍ତି । ଏପରି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତରେ । ଗତ ପଞ୍ଚାୟତ ନିର୍ବାଚନରେ ରବିନ୍ଦ୍ର କୁମାର ଜେନା ସରପଞ୍ଚ ଭାବେ ବିଜୟୀ ହୋଇଥିଲେ । ସେତେବେଳେ ସେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଅନେକ ଲୋକଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହୋଇଥିଲେ । କେବଳ ଭୋଟ ବେଳେ ଆସୁଛ, ଭୋଟ ମୋଗୁଛ, ଜିତିଯିବା ପରେ ଆଉ ଦେଖା ନାହିଁ ବୋଲି ଅନେକ ଲୋକ କହିଥିଲେ । ମାତ୍ର ଏହା ଭୁଲ ବୋଲି ପ୍ରମାଣିତ କରିବାକୁ ସେ ସଙ୍କଳ୍ପ ନେଇଛନ୍ତି । ଏଥିପାଇଁ ସେ ନିର୍ବାଚନର ତିନିମାସ ପରେ ଲୋକଙ୍କ ସମସ୍ୟା ବୁଝିବାକୁ ଆଗେଇ ଆସିଛନ୍ତି । ତାଙ୍କର ସହକର୍ମୀ ମାନେ ମଧ୍ୟ ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି । ସରପଞ୍ଚ ରବିନ୍ଦ୍ର କୁମାର ଜେନା ଓ ସମିତିସଭ୍ୟ ବାବନ ସେଠୀ ଉଭୟେ ନୁଆରମ୍ପାସ ଗାଁରୁ ଏହି ଉଦ୍ୟମ ଆରମ୍ଭ କରିଛନ୍ତି । ସେମାନେ ହାତରେ ଖାତା କଲମ ଧରି ଘରକୁ ଘର ବୁଲି କାହାର କଣ ସମସ୍ୟା ଅଛି ତାହା ଲିପିବଦ୍ଧ କରୁଛନ୍ତି । ଏହି ବୁଲିବା ଭିତରେ ଲୋକମାନେ କିଏ ଗାଁର ରାସ୍ତା ସମସ୍ୟା, କିଏ ଭତ୍ତା, କିଏ ରେସନକାର୍ଡ ସମସ୍ୟା ତ ଆଉ କିଏ ଆବାସ ଯୋଜନା ସମସ୍ୟା କଥା ଉଠାଉଛନ୍ତି । ସମସ୍ତଙ୍କ ନାଁ ପାଖରେ ତାଙ୍କର ସମସ୍ୟାକୁ ଲିପିବଦ୍ଧ କରିବା ସହିତ ତାଙ୍କର ଟେଲିଫୋନ ନମ୍ବର ମଧ୍ୟ ଲିପିବଦ୍ଧ କରୁଛନ୍ତି ସରପଞ୍ଚ । ଲୋକମାନେ ମଧ୍ୟ ସରପଞ୍ଚଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରିବା ସହିତ ସେମାନଙ୍କ ସମସ୍ୟା ଗୁଡିକ ନିଶ୍ଚିତ ସମାଧାନ ହେବ ବୋଲି ଆଶା ବାନ୍ଧିଛନ୍ତି । ପଞ୍ଚାୟତର ଥିବା ନୁଆରମ୍ପାସ, ବଡରମ୍ପାସ, ଇଶଳା, ସିମିଳିଆ, ଘୁଆଳଗଡିଆ, ଟୁକୁଣା, ଷଡଙ୍ଗାର ୧୫ଟି ଯାକ ୱାର୍ଡରେ ଏହି କାର୍ଯ୍ୟକ୍ରମ କରିବରକୁ ଲକ୍ଷ ରଖିଛନ୍ତି । ଗୋଟିଏ ଦିନରେ ଗୋଟିଏ ଗୋଟିଏ ୱାର୍ଡ ବୁଲିବାକୁ ପଡିବ ବୋଲି ସରପଞ୍ଚ ଶ୍ରୀ ଜେନା ପ୍ରକାଶ କରିଚନ୍ତି । ତାଙ୍କ କହିବାନୁଯାଇ ଲୋକଙ୍କର ଯେଉଁ ସମସ୍ୟା ଗୁଡିକ ପଞ୍ଚାୟତ ମାଧ୍ୟମରେ ହୋଇପାରିବ ତାହାକୁ ପଞ୍ଚାୟତରେ ସମାଧୋନ କରିବୁ ଆଉ ଯେଉଁ ସମସ୍ୟା ବ୍ଲକ ସ୍ତରରେ ହେବ ତାହାକୁ ଆମେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରି ନିଶ୍ଚିତ ସମାଧାନ କରିବୁ । ଆମେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଛୁ ଓ ଲୋକଙ୍କ ପାଇଁ କାମ କରିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏଇ ଭିତରେ ସେ ବିଭିନ୍ନ ଗ୍ରାମର ମୁଖ୍ୟ ସ୍ଥାନ ଗୁଡିକରେ ଆଲୋକି କରଣ କୀରିବା ସହିତ ବିଭିନ୍ନ ଦେବାଳୟ ସ୍ଥାନ ଓ ବିଭିନ୍ନ ଗ୍ରାମରେ ଥିବା ଚକ ବଜାର ମାନଙ୍କରେ ଲୋକମାନଙ୍କ ବସାବସି ପାଇଁ ସିମେଣ୍ଟ ବେଞ୍ଚ ପକାଇଛନ୍ତି । ତାଙ୍କ ପଞ୍ଚାୟତର କିଛି ଗ୍ରାମରେ ଥିବା କଚ୍ଚା ରାସ୍ତା ଗୁଡିକୁ କାଦୁଅରୁ ବର୍ତ୍ତିବା ପାଇଁ ମରାମତି ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି । ସରପଞ୍ଚଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଉଛି ।


