ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗ ଅସ୍ଥାୟୀଙ୍କ କର୍ମଚାରୀ ସଂଘର ଧର୍ମଘଟ ଓ ଧାରଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ବିଭାଗର ଅସ୍ଥାୟୀ କର୍ମଚାରୀ ସଂଘର ଏକ ବିରାଟ ଧାରଣା ଓ ଧର୍ମଘଟ ଚାଲୁ ରହିଛି । ଦୀର୍ଘ ୨୯ ବର୍ଷ ଧରି ସାରା ଓଡ଼ିଶାର ଗ୍ରାମ୍ୟ ନିର୍ମାଣ ବିଭାଗ, ମଣ୍ଡଳ, ବିଭାଜନ, ସବ୍ଡ଼ିଭିଜନ ଓ ସେକ୍ସନରେ କାର୍ଯ୍ୟ କରି ଆସୁଥିବା ୬୧୧ଜଣ ଅସ୍ଥାୟୀ କର୍ମଚାରୀମାନଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଜଡ଼ିତ ଥିଲେ ମଧ୍ୟ ସରକାର ସେମାନଙ୍କୁ ଦରମା ପ୍ରଦାନ ନକରିବା ଏବଂ ବାରମ୍ବାର ଦାବି ସତ୍ତ୍ୱେ ସରକାର ସେମାନଙ୍କ କଥା ନ ବୁଝିବାରୁ ମହାସଂଘ ତରଫରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ଥିବା ଅସ୍ଥାୟୀ କର୍ମଚାରୀମାନଙ୍କର ଏହି ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ସଂଘ ତରଫରୁ ମଧ୍ୟ ସରକାରଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇ ତାଙ୍କ ସମସ୍ୟା ବିଷୟରେ ଜଣାଇ ଦିଆଯାଇଛି । କିନ୍ତୁ ଦୁଃଖର ବିଷୟ ଯେ, ବିଭାଗୀୟ ମୁଖ୍ୟଯନ୍ତ୍ରୀ ସଂଘର ଦାବି ବିଷୟରେ ଅର୍ଥ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବଙ୍କ ସହିତ ଆଲୋଚନା କରି ଦାବି ପୂରଣ କରିବେ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରତଶ୍ରୁତି ପ୍ରତାରଣାରେ ପରିଣତ ହୋଇଥିବାରୁ ସଂଘ ତରଫରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହାସଂଘର ୫ ଦଫା ଦାବିଗୁଡ଼ିକ ହେଉଛି ୧୨.୪.୧୯୯୩ରିଖ ପରେ କାର୍ଯ୍ୟ କରୁଥିବା ସମସ୍ତ ପ୍ରକାର ଅସ୍ଥାୟୀ କର୍ମଚାରୀ ମାନଙ୍କୁ (୧) ଓଡ଼ିଶା ସରକାର ଗ୍ରାମ୍ୟ ନିର୍ମାଣ ଅଧିନରେ ସ୍ଥାୟୀ କରି ସରକାରୀ ମାନ୍ୟତା ଦିଆଯିବା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରନ୍ତୁ (୨) ଓଡ଼ିଶା ସରକାର ଗ୍ରାମ ନିର୍ମାଣ ଅଧିନରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ (୩) ସଂଘର ସମସ୍ତ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ମଣ୍ଡଳ ଯନ୍ତ୍ରୀ ଓ ବିଭାଜନ ଯନ୍ତ୍ରୀଙ୍କ ନିର୍ଯ୍ୟାତନାରୁ ମୁକ୍ତ କରାଯାଉ (୪) କାର୍ଯ୍ୟ କରୁଥିବା ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ବିନା ଅନୁମତିରେ କାର୍ଯ୍ୟରୁ ଅନ୍ତର ନ କରିବା ପାଇଁ ମଣ୍ଡଳ ଯନ୍ତ୍ରୀ ଓ ବିଭାଜନ ଯନ୍ତ୍ରୀଙ୍କ ନିର୍ଦ୍ଦେଶ ଦିଆଯାଉ ଏବଂ (୫) କିଛି ଅସ୍ଥାୟୀ କର୍ମଚାରୀଙ୍କ ନାମ ମଣ୍ଡଳ ଯନ୍ତ୍ରୀ ଓ ବିଭାଜନ ଯନ୍ତ୍ରୀ ସରକାରଙ୍କ ନିକଟକୁ ପଠାଇ ନଥିବାରୁ ସେମାନଙ୍କ ନାମକୁ ସରକାରଙ୍କୁ ନିକଟକୁ ପଠାଇକୁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ସଂଘର ସାଧାରଣ ସମ୍ପାଦକ କେଦାରନାଥ ମଲ୍ଲିକ ଏବଂ ସଭାପତି ନାରାୟଣ ଜେନା ଦାବି କରିଛନ୍ତି । ସରକାର ଯଦି ସଂଘର ଦାବି ପ୍ରତି କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆମେ ଘରେ ଭୋକ ଉପାସରେ ମରିବା ଅପେକ୍ଷା ଏହି ଧାରଣାସ୍ଥଳରେ ଜୀବନ ହାରିବୁ । ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।


