ଗୁଣିଗାରେଡି ଅନ୍ଧବିଶ୍ୱାସ : ମହିଳାମାନେ ମାନିବାକୁ ନାରାଜ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବିଜ୍ଞାନ ବହୁତ ଆଗେଇ ଏକବିଂଶ ଶତାଦ୍ଦୀରେ ପଦାର୍ପଣ କରିସାରିଥିବା ବେଳେ ଗୁଣିଗାରେଡି ଭଳି ଏକ ଅନ୍ଧବିଶ୍ୱାସ ଉପରେ ମହିଳା ମାନଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ ରହିଥିବା ପୋଲସରା ବ୍ଳକ ଅନ୍ତର୍ଗତ ଭାବରଡା ଗ୍ରାମ ଘଟଣାରୁ ଜଣାପଡ଼ିଛି । ଭାବରଡ଼ା ଗ୍ରାମ ବାସୀଙ୍କ ଅଭିଯୋଗ ଏହିଯେ କିଛିଦିନ ହେଲା ମହିଳା ମାନଙ୍କ ପିନ୍ଧିବା ବସ୍ତ୍ରରୁ କେହି କାଟି ଗୁଣିଆ କରିବା ପାଇଁ ନେଉଅଛି । ଏହି ଖବର ଜାଣିବା ପରେ ପୋଲସରା ଥାନା ପୋଲିସ ଏବଂ ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ଜୁଲାଇ ୦୪ ତାରିଖ ଦିନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଭାବରଡ଼ା ଗ୍ରାମର ବଡ଼ସାହିର ମା ଗ୍ରାମଦେବୀ ମଣ୍ଡପରେ ଅନୁଷ୍ଠିତ ସଚେତନତା ସଭାରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା , ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା ଓ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଥିଲେ । ପ୍ରଶାସକ ବୃନ୍ଦ ଗ୍ରାମବାସୀ ଙ୍କୁ ଗୁଣିଗାରେଡି ବିରୁଦ୍ଧରେ ସଚେତନ କରାଇଥିଲେ ମଧ୍ୟ ମହିଳା ମାନେ ବୁଝିବାକୁ ନାରାଜ । ଅନ୍ଧବିଶ୍ୱାସକୁ ନେଇ ପୁନର୍ବାର ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଆଇଆଇସି ପ୍ରକାଶ କରିଥିଲେ । ଗୁଣିଗାରେଡିକୁ ବିଶ୍ୱାସ କରି ଯଦି କାହାକୁ ସନ୍ଦେହ କରି ଆଇନକୁ ହାତକୁ ନିଅନ୍ତି ତାହାହେଲେ ଦୃଢ଼ କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଆଇଆଇସି ଶ୍ରୀ ମଲ୍ଲିକ ଗ୍ରାମବାସୀଙ୍କୁ ସତର୍କ ବାଣୀ ଶୁଣାଇ ଥିଲେ । ଗ୍ରାମାଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ବିଷୟ ନେଇ ଥିବା ଅନ୍ଧବିଶ୍ୱାସ ଦୂର କରିବା ପାଇଁ ଜନସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଅଛି ।


