ସିସିଡି ଦ୍ୱାରା ମାଣ୍ଡିଆ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଓଡିଶା ସରକାରଙ୍କର ମିଲେଟ୍ ମିଶନ କାର୍ଯ୍ୟକ୍ରମ ସହାୟତାରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ସିସିଡି ଦ୍ୱାରା ମାଣ୍ଡିଆ ସଚେତନତା ରଥ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୌଳାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ତହସିଲଦାର, ବ୍ଲକ କୃଷି ଅଧିକାରୀ, ଗ୍ରାମ୍ୟସ୍ତରୀୟ କୃଷି କର୍ମଚାରୀ ଓ ସିସିଡି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପ୍ରତିଷ୍ଠିତ ଉଜ୍ୟାଲା କୃଷକ ଉତ୍ପାଦକ ସଂସ୍ଥାର ବୋର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଏହି ସଚେତନତା ରଥ ଗୁମ୍ମା ବ୍ଲକର ୨୦ଗୋଟି ପଞ୍ଚାୟତ ଭ୍ରମଣ କରି ସମସ୍ତ ଆଦିବାସୀ ପରିବାର ଓ ଚାଷିଙ୍କୁ ସଚେତନ କରିବା ପାଇଁ ସ୍ଥିର କରାଯାଇଛି । ଉନ୍ନତ ପ୍ରଣାଳୀରେ ଚାଷ କରି ମାଣ୍ଡିଆର ଉତ୍ପାଦନ ବୃଦ୍ଧି କରିବା ସହ୍‌ଗେ ସଙ୍ଗେ ଆଦିବାସୀ ପରିବାରଙ୍କ ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବା ଏବଂ ବଳକା ମାଣ୍ଡିଆକୁ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ତଥା କ୍ୱିଣ୍ଟାଲ୍ ପ୍ରତି ୩୫୭୮ଟଙ୍କାରେ ସରକାରୀ ମଣ୍ଡିରେ ବିକ୍ରିକରି ପରିବାର ଆଦାୟ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ରଥ ସଚେତନତା ମାଧ୍ୟମରେ ଉନ୍ନତ ପ୍ରଣାଳୀରେ ଚାଷ କରିବା ଓ ଏହାଦ୍ୱାରା ସରକାରଙ୍କ ସହାୟକ ରାଶି ଉପରେ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଇଥିଲା । ସଘନ ପ୍ରଣାଳିରେ ଚାଷ କରିବା ଦ୍ୱାରା ପ୍ରଥମ ବର୍ଷ ହେକ୍ଟର ପ୍ରତି ୬୫୦୦ଟଙ୍କା ଦ୍ୱିତୀୟ ବର୍ଷ ୪୫୦୦ଟଙ୍କା ଓ ତୃତୀୟ ବର୍ଷ ୩୦୦୦ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ସେହିପରି ଧାଡିରୁଆ ପାଇଁ ହେକ୍ଟର ପ୍ରତି ପ୍ରଥମ ବର୍ଷ ୩୨୫୦, ଦ୍ୱିତୀୟ ବର୍ଷ ୨୨୫୦ ଓ ୧୭୫୦ ପ୍ରୋତ୍ସାହନ ରାଶି ଦିଆଯିବ । ଏହି ସଚେତନତା ରଥ ମାଧ୍ୟମରେ ଆଦିବାସୀ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ସହାୟତା ତଥା ଚଳିତ ବର୍ଷ ମାଣ୍ଡିଆର ସର୍ବନିମ୍ନ ସହାୟକ ରାଶିକୁ କ୍ୱିଣ୍ଟାଲ ପ୍ରତି ୨୧୦ଟଙ୍କା ବୃଦ୍ଧି କରାଯିବା ଉପରେ ମଧ୍ୟ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସିସିଡି ସଂସ୍ଥାର ବ୍ଲକ ସଂଯୋଜକ ପ୍ରଦୀପ କୁମାର ଗମାଙ୍ଗ ଆୟୋଜନ କରିବାରେ ସହାୟତା କରିଥିଲେ । ଉଜ୍ୟାଲା କୃଷକ ଉତ୍ପାଦକ ସଂସ୍ଥାର କର୍ମକର୍ତ୍ତା ଓ ସିସିଡି ସଂସ୍ଥାର ମିଲେଟ୍ ମିଶନ୍ କାର୍ଯ୍ୟକ୍ରମର ଅନ୍ୟାନ୍ୟ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ