ସ୍କୁଲ ବସରେ ବସ୍ତା ଭଳି ବୁହା ହେଉଛନ୍ତି ପିଲା : ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଯାଞ୍ଚ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ସହର ସମେତ ସହର ଉପକଣ୍ଠରେ ଥିବା ବହୁ ବେସରକାରୀ ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କୁ ବସ୍ତା ଭଳି ଗାଡିରେ ଜଣଙ୍କ ଉପରେ ଜଣଙ୍କୁ ଲଦି ବୁହାଯାଉଥିବାର ଦେଖିବାକୁ ମିଳିଛି । ଏହାଦ୍ୱାରା ସେହି ଛୋଟ ଛୋଟ ପିଲାମାନଙ୍କ ଜୀବନ ବିପଦରେ ପଡୁଛି । ଏହି ଘଟଣାକୁ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଆସୁଛି । ମଙ୍ଗଳବାର କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା – ଇନ୍ଦୁପୁର ରାସ୍ତାରେ ସେହି ସ୍କୁଲ ଗାଡିଗୁଡିକୁ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । ପରିବହନ ବିଭାଗର ଯାଞ୍ଚସମୟରେ ଜଣା ପଡିଥିଲା ଯେ ଗାଡିରେ ଯେତିକି ସିଟ୍ ରହିଛି ତାହାଠାରୁ ଢେର ଅଧିକ ପିଲା ଗାଡିରେ ବୁହା ହୋଇ ବିଦ୍ୟାଳୟ କୁ ଯାଉଛନ୍ତି । ଅତ୍ୟନ୍ତ ବିପଦଜନକ ଭାବରେ ପିଲାମାନେ ସ୍କୁଲ ଗାଡିରେ ବୁହା ହେଉଛନ୍ତି । ଯାଞ୍ଚ ସମୟରେ ଏହା ଜଣା ପଡିବାରୁ କେତେକ ସ୍କୁଲ ଗାଡିକୁ ଜୋରିମାନା କରାଯାଇଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ରାସ୍ତାରେ ଗାଡି ଯାଞ୍ଚ ହେଉଥିବା ଦେଖି କେତେକ ଗାଡି ସେହି ରାସ୍ତାରେ ଆସି ନ ଥିଲା । ଫଳରେ ଅନ୍ୟ ବାଟେ ବୁଲି ବୁଲି ସଂପୃକ୍ତ ସ୍କୁଲକୁ ଯାଇଥିଲା । କିନ୍ତୁ ନିକଟରେ ଯେଉଁ ସ୍କୁଲଟି ଥିଲା ସେଠାରୁ ପ୍ରାୟ ଅଧ କିଲୋ ମିଟର ଦୂରରେ ଛାତ୍ରଛାତ୍ରୀଙ୍କୁ ଗାଡି ଛାଡି ଥିଲା । ଫଳରେ ପିଲାମାନେ ଚାଲି ଚାଲି ଅଧ କିଲୋମିଟର ଯିବା ପରେ ବିଦ୍ୟାଳୟରେ ପହଞ୍ଚିଥିଲେ । ଏ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ସଚେତନ ରହିବା ଜରୁରୀ ବୋଲି ଘଟଣା ସ୍ଥଳରେ ଥିବା ଜଣେ ଅଧିକାରୀ କହିଥିଲେ । ଅପରପକ୍ଷରେ ସହରର ବୁଦ୍ଧିଜୀବୀମାନେ କହିଛନ୍ତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସବୁବେଳେ ଏହିଭଳି ଯାଞ୍ଚ ହେଉନାହିଁ । ଯାହା ଫଳରେ ସ୍କୁଲ କର୍ତ୍ତୃପକ୍ଷ ଏହି ଘଟଣାକୁ ନେଇ ଖାମଖିଆଲି ରହୁଛନ୍ତି । ପରିବହନ ବିଭାଗ ପକ୍ଷରୁ ବାରମ୍ବାର ଯାଞ୍ଚ କରାଗଲେ ସେମାନେ ଏହି ଘଟଣାକୁ ନେଇ ସଚେତନ ହେବା ସହିତ ପରିସ୍ଥିତି ସ୍ୱାଭାବିକ ହୋଇପାରିବ । ଫଳରେ କୋମଳମତି ଶିଶୁମାନଙ୍କ ଜୀବନ ଆଉ ବିପଦରେ ପଡିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ