ପୁର୍ତ୍ତ ବିଭାଗର ରାସ୍ତା କାମ ନିମ୍ନମାନର : ମାସଟିଏ ବି ଗଲାନି, ଧସିଗଲା ରାସ୍ତା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ଅନେକ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରୁ ଅଣାଯାଇ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଆଶା କରାଯାଉଥିଲା କି ରାସ୍ତା ଗୁଡିକର ଅବସ୍ଥା ସୁଧୁରିଯିବ । କିନ୍ତୁ ଏବେ ପୁର୍ତ୍ତ ବିଭାଗର ରାସ୍ତା ଗୁଡିକରେ ତ୍ତି ନିମ୍ନମାନର କାମ କରାଯାଉଥିବାରୁ ତାହା ଦିନ କେଇଟା ମଧ୍ୟରେ ନଷ୍ଟ ହୋଇ ଯାଉଥିବା ଦେଖିବାକୁ ମିଳିଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଛେନାପଦି-ହଦଗଡ ରାସ୍ତାରେ । ଏହି ରାସ୍ତାର ଛେନାପଦି ନିକଟରେ ବୈତରଣୀ ନଦୀ ସଂଯୋଗୀ କରଣ କେନାଲ ଉପର ଦେଇ ଯାଇଥିବା ବନ୍ଧକୁ ସଂଯୋଗ କରୁଥିବା ରାସ୍ତାଟି ଗତ ଏକ ମାସ ତଳେ କୋଟିଏରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ରାସ୍ତାଟି ନିର୍ମାଣ କରାଯିବା ପରେ ଚକାଚକ କରୁଥିବା ରାସ୍ତାଟି ଯେ ମାତ୍ର ଦିନ କେଇଟାରେ ଭୁଷୁଡି ପଡିବ ଏହା କେହି ଆଶା କରିନଥିଲେ । ପ୍ରଥମେ ଗତ ଜୁନ ମାସରେ ପ୍ରଥମେ ଏକ ବିରାଟ ଫାଟ ସୃଷ୍ଟି ହୋଇଥିଲା । କାମ କରୁଥିବା ଠିକାସଂସ୍ଥାର କର୍ମଚାରୀ ମାନେ ଏହା ବଜ୍ରାଘାତରେ ଫାଟ ହୋଇଗଲା ବୋଲି କହି ତା ଉପରେ କଂକ୍ରିଟ ପକାଇ ଫାଟ ଲୁଚାଇ ଦେଇଥିଲେ । ମାତ୍ର ଏବେ ରାସ୍ତାଟି ସମ୍ପୁର୍ଣ୍ଣ ଦବିଯାଇ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଯାଇଛି । ଏହାର ସବବେସ ନିର୍ମାଣ ଠିକ ହୋଇ ନଥିବାରୁ ଏପରି ଅବସ୍ଥା ହେଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ,ପରିକି ରାସ୍ତା ନିର୍ମାଣ ସମୟରେ ଠିକ ଭାବେ ରୋଲିଂ କରାନଯିବାରୁ ଗାଡି ଚଳାଚଳ କରିବା ଯୋଗୁଁ ରାସ୍ତାଟି ଦବିଗଲା ବୋଲି କୁହାଯାଉଛି । ବିଶେଷକରି ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ନରହିବାରୁ କାର୍ଯ୍ୟର ମାନ ଠିକ ହେଲାନି ବୋଲି କୁହାଯାଉଛି । ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେସେ କହିଛନ୍ତି ଯେ ରାସ୍ତାକାମ ସରିନି । କେନାଲ ଖୋଳାଯିବାକୁ ଜଳସମ୍ପଦ ବିଭାଗ ତରବର କରିବାରୁ ଆମେ ରାସ୍ତାଟିକୁ ଯେନତେନ ପ୍ରକାର କାମ ସାରି ଖୋଲା କରିଦେଲୁ । ବର୍ଷାଦିନ ପରେ ପୁନର୍ବାର ରାସ୍ତାଟିକୁ ଖୋଳି ଆଉଥରେ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।


