ଲୁଟେରାଙ୍କ ରାଜ୍‌ : ଦୋକାନ ଟିଣ  ତାଡିଲେ, ଲୁଟିଲେ 

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳ ଏବେ ଲୁଟେରାଙ୍କ ଭୁସ୍ୱର୍ଗ ପାଲଟିଛି । ଯେଉଁଠି ଚାର୍ହିଲେ, ଥାନା ଅଞ୍ଚଳରୁ ଲୁଟିଲେ । ଏହା ଏବେ ଥାନା ଅଞ୍ଚଳର ନିତିଦିନିଆ ଘଟଣା ପାଲଟିଛି । ଗତ କିଛି ଦିନର ଲୁଟ ଘଟଣାରୁ ଏହା ପ୍ରମାଣିତ କରିଛି । ଗାଁ ଗଣ୍ଡାରୁ ମୂଲ୍ୟବାନ ସାମଗ୍ରୀ ଚୋରୀ ହେବା ସହ ସହରରେ ମଧ୍ୟ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଉଛି ହିଞ୍ଜିଳି ଥାନା ଠାରୁ ମାତ୍ର କିଛି ମିଟର ଦୂରତାରେ ଲୁଟେରାଙ୍କ କାଣ୍ଡ କାରନାମା ଦେଖି ବାକୁ ମିଳିଛି । ହିଞ୍ଜିଳିକାଟୁ ସହରର ଏକ ରେଡିମେଡି ପୋଷାକ ଦୋକାନରୁ ଲୁଟ୍ ତରାଜ ହୋଇଛି । ମୁଖ୍ୟ ଛକରେ ସିସିଟିଭି ସଂଯୋଗ କରାଯାଇଥିଲେ ମଧ୍ୟ ନିର୍ଭୟରେ ଲୁଟେରା ଗ୍ୟାଙ୍ଗ ଲୁଟି ନେବାରେ ସକ୍ଷମ ହୋଇଛନ୍ତି । ପୋଷାକ ଦୋକାନର ଟିଣ ତାଡି ନଗଦ ଟଙ୍କା, ମୋବାଇଲ ସମେତ କିଛଇ ମୂଲ୍ୟବାନ ସାମଗ୍ରୀ ଲୁଟି ନେବାରେ ସଫଳ ହୋଇଛନ୍ତି ଲୁଟେରା ଦଳ । ଘଟଣାରୁ ପୋଲିସର କାର୍ଯ୍ୟଦକ୍ଷତା ଓ ଆଇନ ଶୃଙ୍ଖଳାର ପରିଚାଳନା ତୃଟି ସ୍ପଷ୍ଟ ବାରି ହୋଇପଡିଛି । ପୋଲିସର ଢିଲା ପଣ ଓ ଅପାରଗତାର ସୁଯୋଗ ଉଣ୍ଡି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରୀ ଓ ଲୁଟ୍ ବୃଦ୍ଧି ପାଇଛି । ମିଳିଥିବା ଅଭିଯୋଗ ଅନୁଯାୟୀ, ହିଞ୍ଜିଳିକାଟୁ ସହରର ଜନଗହଳି ପୁର୍ଣ୍ଣ ସ୍ଥାନରେ ଥିବା ଏକ ରେଡି ମେଡି ପୋଷାକ ଦୋକାନର ମାଲିକ ରବିବାର ରାତିରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଘରକୁ ଫେରିଥିଲେ । ସୋମବାର ସକାଳୁ ଦୋକାନ ଖୋଲିବା ବେଳେ ଦୋକାନ ଘରର ଛାତ ଟିଣ ତାଡି ହୋଇଥିବା ଦେଖିବାକୁ ପାଇଥିଲେ । ପରେ ଦୋକାନରୁ ନଗଦ ୧୨ ହଜାର ଟଙ୍କା ଓ ୨ଟି ଦାମୀ ମୋବାଇଲ ସମେତ ବହୁ ମୂଲବାନ ପୋଷାକ ପତ୍ର ଚୋରୀ କରି ଲୁଟେରା ମାନେ ଚମ୍ପଟ ମାରିଥିବା ଜାଣିବାକୁ ପାଇଥିଲେ । ଘଟଣା ନେଇ ଦୋକାନୀ ମାଲିକ ପ୍ରେମାନନ୍ଦ ପାଣିଗ୍ରାହୀ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଥିଲା । ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୬୫/୨୨ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ସୂଚନା ଥାଉକି, ଚୋରୀ ଘଟଣା ସ୍ଥଳର ନିକଟବର୍ତ୍ତୀ ସ୍ଥାନ ଗୁଡିକରେ ନିଶାର୍ଦ୍ଧରେ ମଦ୍ୟପ ମାନଙ୍କ ଦୀର୍ଘ ଦିନ ଧରି ଆଡ୍ଡାସ୍ଥଳୀ ପାଲଟିଛି । କିଛି ଦୋକାନର ଅନ୍ଧାରିଆ ଜାଗାରେ ମଦ ବୋତଲ ସାଙ୍ଗକୁ ପ୍ଳାଷ୍ଟିକ ଗ୍ଳାସ ଓ ଚାଖଣା ରିତିମତ ଚାଲୁଥିବା ବେଳେ ସଂପୃକ୍ତ ଘଟଣା ଉପରେ ସ୍ଥାନୀୟ ପୋଲିସ ପ୍ରଶାସନର ନଜର ହଟିଯାଉଛି । ପୋଲିସ ଢିଲା ପାଟ୍ରୋଲିଂ ମଦ୍ୟପ ଓ ଚୋର ତସ୍କରଙ୍କୁ ବେଶ୍ ସୁହାଉଛି । ଏତଦବ୍ୟତିତ ନିର୍ମାଣଧିନ ମାକ୍ରେଟ କମ୍ପେ୍ଲକ୍ସ ଅସାମାଜିକଙ୍କ ଆଡ୍ଡାସ୍ଥଳି ପାଲଟିଛି । ସହରର ଇନଡୋର ଷ୍ଟାଡିୟମ, ଆରଏମସି ପରିସର, ପୁରୁଣା ମେଡିକାଲ କୋଠା, ପି. ରାମଚନ୍ଦ୍ରପୁର ଗ୍ରାମ ମୁଖ୍ୟ ରାସ୍ତା ଇତ୍ୟାଦି ଅସାମାଜିକଙ୍କ ଓପେନ ବାର ପାଲଟିଛି । ଘଟଣା ପରେ ସଂପୃକ୍ତ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କୁ ଚାନ୍ଦା କରି ସଂପୃକ୍ତ ଅଂଚଳରେ ସିସିଟିଭି ଲଗାଇବାକୁ ପୋଲିସ ଅନୁରୋଧ କରିଛି । ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ସହ ଲୁଟେରାଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ହିଞ୍ଜିଳିକାଟୁ ବିକାଶ ମଞ୍ଚ ଓ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ଦାବି କରିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ