ଶିକ୍ଷକ ପୁରସ୍କାର ସୁପାରିସରେ ପାତରଅନ୍ତର ଅଭିଯୋଗ
ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟସ୍ତରୀୟ ମାଧ୍ୟମିକ ଶିକ୍ଷକ ପୁରସ୍କାର ପାଇଁ ପ୍ରାର୍ଥୀ ସୁପାରିସ ଧାରାକୁ ନେଇ ଜିଲା ଶିକ୍ଷା ବିଭାଗରେ ବିବାଦୀୟ ସ୍ଥିତି ପରିଲକ୍ଷିତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲାରୁ ଶ୍ରେଷ୍ଟ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ମାତ୍ର ବାଲେଶ୍ୱର ଜିଲାରେ ଯୋଗ୍ୟ ଶିକ୍ଷକଙ୍କ ନାମ ସୁପାରିସରେ ପାତରଅନ୍ତର ନୀତି ଗ୍ରହଣ କରାଯାଇଥିବା ଅଭିଯୋଗ ଉଠାଇଛନ୍ତି ମିଶନ ଗାର୍ଲସ ହାଇସ୍କୁଲର ସହକାରୀ ଶିକ୍ଷକ ଦେବେନ୍ଦ୍ର କୁମାର ମହାନ୍ତି । ଜିଲା ଶିକ୍ଷା ବିଭାଗର ବିଜ୍ଞପ୍ତି ଆଧାରେ ଶ୍ରୀ ମହାନ୍ତିଙ୍କ ସମେତ ଜିଲାର ୧୨ ଜଣ ଏହି ପୁରସ୍କାର ପାଇଁ ନିଜର ଶିକ୍ଷତା ଦକ୍ଷତା ପ୍ରମାଣପତ୍ର ସହ ଆବେଦନ କରିଥିଲେ । ମାତ୍ର ଜିଲା ଶିକ୍ଷା ବିଭାଗ ଶ୍ରୀ ମହାନ୍ତିଙ୍କ ନାମକୁ ତାଲିକାଭୁକ୍ତ ନ କରିବା ଯୋଗୁଁ ସେ ଏହାର କାରଣ ସମ୍ପର୍କରେ ସୋମବାର ଅପରାହ୍ଣରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ (ଏଡିଇଓ) ପବିତ୍ର ମୋହନ ବାରିକଙ୍କୁ ପଚାରିଥିଲେ । ମାତ୍ର ଏଡିଇଓ ଶ୍ରୀ ବାରିକ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସେ ଅଭିିଯୋଗ ଆଣିବା ସହ ଆଗାମୀ ଦିନରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏ ସମ୍ପର୍କରେ ଏଡିଇଓ ଶ୍ରୀ ବାରିକଙ୍କୁ ପଚାରିବାରୁ ସରକାରୀ ମାର୍ଗଦର୍ଶିକା ଅନୁସାରେ ଶିକ୍ଷକ ସୁପାରିସ କାର୍ଯ୍ୟ କରାଯାଉଥିବା ସେ ସୂଚନା ଦେଇଚନ୍ତି । ଜିଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ଷମ ଜିଲାସ୍ତରୀୟ କମିଟିର ନିଷ୍ପତ୍ତି ଅନୁସାରେ ସବୁକିଛି ହେଉଥିବା ବେଳେ ଅକ୍ରୋଶମୂଳକ ଭାବେ କାହାକୁ ଦୋଷାରୋପ କରିବା ଉଚିତ ନୁହେ ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ବିଭିନ୍ନ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥାଇ ଦେବେନ୍ଦ୍ର ମହାନ୍ତି ଦଣ୍ଡିତ ହୋଇଥିବା କାରଣରୁ ତାଙ୍କୁ ତାଲିକାଭୁକ୍ତ କରାଯାଇ ନଥିବା ଏଡିଇଓ ଶ୍ରୀ ବାରିକ ପ୍ରକାଶ କରିଛନ୍ତି ।