ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ବୀର ମହାସଂଘ ପକ୍ଷରୁ କୃତଜ୍ଞତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ୧୮୧୭ ମସିହାରେ ପ୍ରଥମ ମୁକ୍ତି ସଂଗ୍ରାମ ପାଇକ ବିଦ୍ରୋହ । ଏହି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇର ପାଦଦେଶରେ ଏକ ବିଶ୍ୱପ୍ରସିଦ୍ଧ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏଥିପାଇଁ ଆବଶ୍ୟକ ଜାଗା ଯୋଗାଇ ଦେବା ପାଇଁ ଓଡ଼ିଶା ବୀର ମହାସଂଘ ପକ୍ଷରୁ କ୍ରମାନ୍ୱୟନରେ ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ପାଇକମାନଙ୍କୁ ଏକତ୍ରିତ କରି ଜନର୍ଗଜନ ସମାବେଶମାନ ଆୟୋଜନ କରାଯାଇଥିଲା । ଏହାର ଆଭିମୁଖ୍ୟ ଥିଲା ରାଜ୍ୟ ସରକାର ବରୁଣେଇ ପାଦ ଦେଶରେ ବିନା ମୂଲ୍ୟରେ ଜାଗା ଯୋଗାଇ ଦିଅନ୍ତୁ ଯଦ୍ୱାରା ପାଇକ ସ୍ମାରକୀ ନିର୍ମାଣ ହେବା ସମ୍ଭବ ହେବ । ଗତ ଦୁଇଦିନ ତଳେ ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ୯ ଏକର ୬୮୫ ଡ଼ିସିମିଲ ଜାଗାକୁ ୩୧ କୋଟି ୯୭ ଲକ୍ଷ ଟଙ୍କା ଛାଡ଼ କରି ବିନା ମୂଲ୍ୟରେ ପ୍ରଦାନ କରିଥିବାରୁ ଆଜି ହୋଟେଲ କେଶରୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ଗଣେଶ ସାମନ୍ତ ପ୍ରମୁଖ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ଏହି ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ପୂର୍ବରୁ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବର୍ତ୍ତମାନର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ପେଟ୍ରୋଲିୟମ ମନ୍ତ୍ରଣାଳୟରୁ ୧୯୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । କିନ୍ତୁ ଓଡ଼ିଶା ବୀର ମହାସଂଘ ପକ୍ଷରୁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ଓ ଶିଖ୍‌, ଗୁର୍ଖା, ଆସାମ, ବିହାର ରେଜିମେଣ୍ଟ ପରି ଓଡ଼ିଶା ରେଜିମେଣ୍ଟ ଗଠନ ପାଇଁ ମଧ୍ୟ ଦାବୀ ହେବା ସହ ଜୋରଦାର ଆନ୍ଦୋଳନ କରାଯାଇଥିଲା । ତେଣୁ ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୀର ମହାସଂଘର କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପାଇକ ରେଜିମେଣ୍ଟ ଗଠନ ପାଇଁ ବିଧାନସଭାରେ ଏକ ସର୍ବସମ୍ମତି କ୍ରମେ ବିଲ୍ ପାସ୍ କରି କେନ୍ଦ୍ର ସରକାରଙ୍କୁ ନିବେଦନ କରନ୍ତୁ । ସେହିପରି ଦେଶର ଦୁଇଜଣ ଆଳଙ୍କାରିକ ମୁଖ୍ୟ ଯଥା ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବର ଉଦ୍‌ଘାଟନ ଉତ୍ସବ ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବା ବେଳେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରିଥିଲେ । ଅନୁରୂପ ଭାବରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୦ ବର୍ଷ ପୂର୍ତ୍ତି ଉତ୍ସବର ଉଦ୍‌ଯାପନ ପର୍ବରେ ଯୋଗଦାନ କରି ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ପାଇଁ ଶିଳାନ୍ୟାସ କରିବା ସହ ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମତବ୍ୟକ୍ତ କରିଥିଲେ । ସେହି ଦୃଷ୍ଟିକୋଣରୁ କେନ୍ଦ୍ର ସରକାର ଯଥାଶୀଘ୍ର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ମୁକ୍ତି ସଂଗ୍ରାମର ମାନ୍ୟତା ପ୍ରଦାନ ଓ ପାଇକ ରେଜିମେଣ୍ଟ ଗଠନ ପାଇଁ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ