ମାଟିର ଝିଅକୁ ମାଟିରେ ଶୁଭେଚ୍ଛା : ଭାସ୍କର୍ଯ୍ୟ କଳାରେ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆଜି ନୂଆ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶପଥ ନେବେ । ଆମ ମାଟିର ଝିଅ ଦ୍ରୌପଦୀଙ୍କ ପାଇଁ ଓଡ଼ିଶା ଗର୍ବିତ ଓ ଗୌରବାନ୍ୱିତ । ପ୍ରଥମ ଆଦିବାସୀ ମହିଳା ତଥା ସର୍ବକନିଷ୍ଠା ରାଷ୍ଟ୍ରପତି ଭାବେ ରାଇସିନା ହିଲ୍ସରେ ତାଙ୍କର ପଦାର୍ପଣ ଇତିହାସ ସୃଷ୍ଟି କରିଛି । ଏ ନେଇ ଗାଁ ଠୁ ସହର ଉତ୍ସବ ମୁଖର । ରାଜ୍ୟର କୋଣ ଅନୁକୋଣରୁ ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟି ଚାଲିଛି । ଏହି ପରିପ୍ରେକ୍ଷୀରେ ସ୍ମାର୍ଟ ନଗରୀ ଭୁବନେଶ୍ୱର ଉପକଣ୍ଠରେ ଧଉଳି ଗ୍ରାମରେ ରହୁଥିବା ୨୫ ବର୍ଷୀୟ ଯୁବକ ଭାସ୍କର୍ଯ୍ୟ ଶିଳ୍ପୀ ଜୟଦ୍ରଥ ମଣ୍ଡଳ ଏକ ନିଆରା ଢଙ୍ଗରେ ଶ୍ରୀମତୀ ମୁର୍ମୁଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜଣାଇଛନ୍ତି । ଚିକିଟା ମାଟି ଓ ରଙ୍ଗରେ ନିଖୁଣ ରୂପେ ତିଆରିଛନ୍ତି ଦ୍ରୌପଦୀଙ୍କ ପ୍ରତିଛବି । ଏହାକୁ ତିଆରି କରିବା ପାଇଁ ୬ରୁ ୭ ଘଣ୍ଟା ସମୟ ଲାଗିଛି ବୋଲି ଜୟ କହିଛନ୍ତି । ସୂଚନାଯୋଗ୍ୟ, ଜୟ ଭୁବନେଶ୍ୱରସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଭାସ୍କର୍ଯ୍ୟ କଳାରେ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ଏବେ ସେ ପିଜି ପଢିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଜୟଙ୍କ ଏହି ସୁନ୍ଦର ମନଛୁଆଁ କଳାକୃତିକୁ ଅନେକ କଳାପ୍ରେମୀ, ସ୍ଥାନୀୟ ଅଞ୍ଚଳବାସୀ ଏବଂ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି । ଜୟଙ୍କ ମୂଳଘର କେନ୍ଦ୍ରାପଡ଼ା ଜିଲ୍ଲା ଖରିନାସୀ ଗ୍ରାମରେ ବୋଲି ଜଣାପଡ଼ିଛି ।


