ଲଗାଣ ବର୍ଷା ଯୋଗୁଁ ପୁଣି ଜଳମଗ୍ନ ହେଲା ଗାଁ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ ଯଶୋଟିକିରି ଗାଁ ଓ ଆଖପାଖ ଚାଷ ଜମି ବର୍ଷା ଦିନେ ଜଳମଗ୍ନ ହେଉଥିଲା । ଏନେଇ ପ୍ରତ୍ୟେକ ବର୍ଷ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟା ଯୋଗୁ ଚଳିତ ବର୍ଷ ଡ୍ରେନେଜ ବିଭାଗ ଏଠାରେ କାର୍ଯ୍ୟ ଆରମ୍ଭ କରିଥିଲା । ଆଖୁଆପଦା ବୈତରଣୀ ନଦୀ ବନ୍ଧ ଠାରୁ ଯଶୋଟିକିରି ବଜାର ଦେଇ ରାଜପଥ କଡେ କଡେ ସ୍କୁଲ ଯାଏଁ ଡ୍ରେନେଜ ନାଳକୁ ବିଭାଗ କଂକ୍ରିଟ ନିର୍ମାଣ କରିଛି । ଜଳ ନିଷ୍କାସନର ପରିମାଣକୁ ଆଖି ଆଗରେ ରଖି ନିର୍ମାଣ କାର୍ଯ୍ୟ କରାଯାଇଥିଲେ ସୁଦ୍ଧା କେତେକ ତ୍ରୁଟି ବିଚ୍ୟୁତି ଯୋଗୁ ଏବେ ପୁଣି ଯଶୋଟିକିରି ଗାଁ ତଳ ଚାଷ ଜମି ଗୁଡିକ ଜଳମଗ୍ନ ହୋଇଯାଇଛି । ବିଶେଷ କରି ଡ୍ରେନେଜ ନାଳକୁ ଲାଗି ମଞ୍ଜୁରୀରୋଡ଼ ପଟୁ ଶାଳଣିଆ ମୁଖ୍ୟ କେନାଲ ଆସିଥିବା ବେଳେ ଏହା ଡ୍ରେନେଜ ପାଣି ନିଷ୍କାସନ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। କେନାଲର ଏକ ସାଇଫନ ଥିବା ବେଳେ ଏହା ଅନେକ ବର୍ଷ ହେବ ପୁନରୁଦ୍ଧାର ହୋଇ ପାରିନାହିଁ । ଫଳରେ ନୂତନ କଂକ୍ରିଟ ନିର୍ମାଣାଧୀନ ଡ୍ରେନେଜ ନାଳରେ ପାଣି ଆସୁଥିଲେ ସୁଦ୍ଧା ପୋତି ହୋଇଯାଇଥିବା ସଂକୀର୍ଣ୍ଣ ସାଇଫନ ଦେଇ ଅପର ପାର୍ଶ୍ୱକୁ ଯାଇ ପାରୁନାହିଁ। ସୁତରାଂ ଜଳ ନିଷ୍କାସନରେ ଏହା ଗଭୀର ବ୍ୟାଘାତ ସୃଷ୍ଟି କରୁଥିବା ଯୋଗୁ ଅବସ୍ଥା ପୂର୍ବ ବର୍ଷ ଭଳି ହୋଇଛି । ଏକ ନୂତନ ସାଇଫନ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ମଞ୍ଜୁରୀରୋଡ଼ ଓ ଶାଳଣିଆ ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ଗୁହାରୀ କରିଥିଲେ ସୁଦ୍ଧା ସେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏପଟେ ସମ୍ପ୍ରତି ରାଜପଥ ସମ୍ପ୍ରସାରଣ ବେଳେ ନିର୍ମାଣକାରୀ ସଂସ୍ଥା ସ୍ଥାନୀୟ ଲୋକଙ୍କ ସମସ୍ୟା କୁ ଦୃଷ୍ଟି ନଦେଇ ଅନେକ ସ୍ଥାନରେ ଡ୍ରେନେଜ ନାଳକୁ ପୋତି ଦେଇଥିବାରୁ ସୁଚାରୁରୂପେ ଜଳ ନିଷ୍କାସନ ନହେବା ଅନ୍ୟ ଏକ ପ୍ରମୁଖ କାରଣ ଅଟେ। ସେ ଯାହାବି ହେଉ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇ ନୂତନ ଡ୍ରେନେଜ ନାଳ ନିର୍ମାଣ ହୋଇଥିଲେ ସୁଦ୍ଧା ବିଭିନ୍ନ ବିଭାଗର ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ନେରଡ଼ା ପଞ୍ଚାୟତର ଅଧିକାଂଶ ଜନ ସାଧାରଣ ଏବେ ମନୁଷ୍ୟକୃତ ବନ୍ୟା ପାଣି ଦେଖୁଛନ୍ତି । ଏହାସହିତ ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହେବ ବୋଲି ସ୍ଥାନୀୟ ଚାଷୀ ମାନେ ଅଭିଯୋଗ କରିଛନ୍ତି। ତେଣୁ ଏହା ଉପରେ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ