ସବୁ ବ୍ୟାଟ୍ସମ୍ୟାନ୍ ଶୂନ; ଦଳ ୭୫୪ ରନ୍ରେ ପରାସ୍ତ
ମୁମ୍ବାଇ: କ୍ରିକେଟକୁ ଅନିଶ୍ଚିତତାର ଖେଳ କୁହାଯାଉଥିବା ବେଳେ ଏହାର ଏକ ଜ୍ୱଳନ୍ତ ଉଦାହରଣ ମୁମ୍ବାଇରେ ଦେଖିବାକୁ ମିଳିଛି । ମୁମ୍ବାଇର ଅନ୍ତଃବିଦ୍ୟାଳୟ ହାରିସ୍ ସିଲଡ୍ କ୍ରିକେଟ୍ ପ୍ରତିଯାଗିତାର ଏକ ମ୍ୟାଚ୍ରେ ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ (ଏସ୍ଭିଆଇଏସ୍) ଦଳ ବିପକ୍ଷରେ ଦି ଚିଲଡ୍ରେନ୍ସ ୱେଲଫେୟାର ସେଣ୍ଟର ସ୍କୁଲ୍ ଦଳ ଏକ ଅଲୋଡ଼ା କୀର୍ତ୍ତିମାନ ପାଇଛି । ଏହି ଦଳର ୧୦ ଜଣଯାକ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍ ହୋଇଥିଲା ବେଳେ ଅପରାଜିତ ଥିବା ବ୍ୟାଟ୍ସମ୍ୟାନ୍ ମଧ୍ୟ ଖାତା ଖୋଲିପାରିନଥିଲେ । ଫଳରେ ଦଳ ମାତ୍ର ୭ ରନ୍ କରିପାରିଥିଲା । ଯାହାକି କେବଳ ଅତିରିକ୍ତ (୬ ୱାଇଡ୍, ୧ ବାଇ) ଭାବେ ଦଳକୁ ମିଳିଥିଲା । ବିଜୟୀ ଦଳ ପକ୍ଷରୁ ମଧ୍ୟମଗତି ବୋଲର ଆଲୋକ ପାଲ୍ ହ୍ୟାଟ୍ରିକ୍ ସହିତ ୩ ରନ୍ରେ ୬ ୱିକେଟ୍ ଅକ୍ତିଆର କରିଥଲେ । ଏଥି ସହିତ ଦି ଚିଲଡ୍ରେନ୍ସ ୱେଲଫେୟାର ସେଣ୍ଟର ସ୍କୁଲ୍ ଦଳ ୭୫୪ ରନର ବୃହତ୍ ବ୍ୟବଧାନରେ ପରାସ୍ତ ହୋଇଥିଲା । ଏଭଳି ଅଲୋଡ଼ା କୀର୍ତ୍ତି ପାଇବାରେ କୌଣସି ଦଳ ପାଇଁ ଏହା ପ୍ରଥମ ଘଟଣା । ପ୍ରଥମ ଥର ଲାଗି ଗୋଟିଏ ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଖାତା ଖୋଲିବାକୁ ସମର୍ଥ ହୋଇନଥିଲା ବେଳେ ୧୨୬ ବର୍ଷର ହାରିସ୍ ସିଲ୍ଡ ପ୍ରତିଯୋଗିତା ଇତିହାସରେ ଏହା ସର୍ବବୃହତ୍ ବ୍ୟବଧାନର ପରାଜୟ ମଧ୍ୟ ଥିଲା ।
ଏହି ୪୫ ଓଭର ବିଶିଷ୍ଟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଏସ୍ଭିଆଇଏସ୍ ଦଳ ୩୯ ଓଭରରେ ୪ ୱିକେଟ୍ ବିନିମୟରେ ୭୬୧ ରନ୍ କରିଥିଲା । ସେଥିରେ ମିତ୍ ମାୟେକରଙ୍କ ଅପରାଜିତ ୩୩୮ ରନ୍ ଉଲ୍ଲେଖନୀୟ ଥିଲା । ମିତ୍ ତାଙ୍କ ମାରାଥନ୍ ପାଳିରେ ୫୬ ଚୌକା ଓ ୭ ଛକା ମାରିଥିଲେ । ଦଳର ୭୬୧ ରନ୍ ମଧ୍ୟରେ ୫୭ ଅତିରିକ୍ତ ଥିଲା ବେଳେ ପ୍ରତିପକ୍ଷ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୪୫ ଓଭର ବୋଲିଂ ପୂର୍ଣ୍ଣ କରିପାରିନଥିବାରୁ ପେନାଲ୍ଟି ଭାବେ ଏସ୍ଭିଆଇଏସ୍ ଦଳକୁ ୧୫୬ ରନ୍ ମିଳିଥିଲା । ଏଠାରେ ସୂଚନାଯୋଗ୍ୟ, ଏବର ଭାରତୀୟ ଦଳର ସୁପରଷ୍ଟାର ରୋହିତ ଶର୍ମା ଏକଦା ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦଳରୁ ପ୍ରତିନିଧିତ୍ୱ କରିଥିଲେ ।


